କେନ୍ଦ୍ରାପଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ନିଲମ୍ବିତ ହେଲେ ମା' ତାରିଣୀ କଲେଜର ଅଧ୍ୟକ୍ଷ । ଆଜି(ମଙ୍ଗଳବାର) ମୁଖ୍ୟ ନିର୍ବାଚନ କମିଶନ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଏନେଇ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ କଲେଜ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସଙ୍କୁ ନିଲମ୍ବିତ କରିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଗଡ଼ରୋମିତ ଗାଁରେ ଗତ ରବିବାର ଜୟଚନ୍ଦ୍ରପୁର ମା' ତାରିଣୀ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସଙ୍କ ସମେତ ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ ଏକ ନିର୍ବାଚନୀ ସଭାରେ ଯୋଗଦେଇ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଚୟନ କରିଥିଲେ । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ଓ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ମୁଖ୍ୟ ନିର୍ବାଚନ କମିଶନ ଗତକାଲି ଜିଲ୍ଲା ପ୍ରଶାସନକୁ ତୁରନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ:- ମା' ତାରିଣୀ କଲେଜରେ ନିର୍ବାଚନୀ ସଭା ପ୍ରସଙ୍ଗ: କଲେଜ ଅଧ୍ୟକ୍ଷ ଓ SDPOଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ
ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ତଦନ୍ତ ରିପୋର୍ଟ ସମେତ ନିର୍ବାଚନୀ ସଭା ହେଉଥିବା କଲେଜର ସିସିଟିଭି ଫୁଟେଜ ମୁଖ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବା ପରେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ନିଲମ୍ବନ ସହ ତାଙ୍କ ନାମରେ ଥାନାରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଅନ୍ୟପଟେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଜି ଅପରାହ୍ନରେ ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାସଙ୍କୁ ଚିଠି ନଂ ୩୧୦/୧୮.୦୧.୨୦୨୨ରେ ନିଲମ୍ବିତ କରିଛନ୍ତି । ତେବେ ଜଣେ ସରକାରୀ କର୍ମଚାରୀ ହୋଇ କଲେଜକୁ ବଦନାମ କରିଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଅଧ୍ୟକ୍ଷଙ୍କ ବିରୋଧରେ ନାରାବାଜି କରିବା ସହ ଚଣ୍ଡିଖୋଲ-ପାରାଦ୍ୱୀପ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ