କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଛନ୍ତି । ଗତ ଶନିବାର ରାତି ପ୍ରାୟ ୩ଟା ସମୟରେ ଆଳି ଥାନା ଅନ୍ତର୍ଗତ ବଡ଼ଆଙ୍କୋ ଗ୍ରାମର ସାଧୁଚରଣ ମହାଳିକଙ୍କ ଘରେ ପ୍ରାୟ ୫ଜଣ ଡକାୟତ ପଶି ସାଧୁଚରଣ ଓ ତାଙ୍କ ପତ୍ନୀ ଜାନକୀ ମହାଳିକଙ୍କୁ ବାନ୍ଧି ମାଡ଼ ମାରିଥିଲେ । ଏହାସହିତ ସାଧୁଚରଣଙ୍କୁ ଛୁରା ମାଡ଼ କରି ଘରେ ଥିବା ସୁନା ରୂପା ନଗଦ ଟଙ୍କା ଆଦି ଲୁଟି ନେଇଛନ୍ତି । ଗ୍ରାମବାସୀ ଉଭୟ ସାଧୁଚରଣ ଓ ଜାନକୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟ ଆଳି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ଆଳି ପୋଲିସ ଜଗି ରହିବା ସହିତ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।
ସେହିପରି ଅନ୍ୟ ଏକ ଘଟଣାରେ ଗତ ରାତିରେ ଆଳି ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଦୁଇଟି ସୁନା ଦୋକାନରୁ ଲୁଟ ହୋଇଥିବା ନେଇ ସୂଚନା ମିଳିଛି । ପାତ୍ର ଜୁଏଲାରୀ ଓ ଆଖଣ୍ଡଳମଣି ଜୁଏଲାରୀର ଉପର ଆଜବେଷ୍ଟସ ଭାଙ୍ଗି ଦୋକାନ ଭିତରେ ପଶି ଭିତରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗିବା ସହିତ ଲକ୍ଷାଧିକ ଟଙ୍କାର ସୁନାରୂପା ଲୁଟି ନେଇଥିବା ଉଭୟ ଦୋକାନର ମାଲିକ ଥାନାରେ ଅଭିଯୋଗ କରିଛନ୍ତି ।
ପୋଲିସ ଦୁଇଟି ଦୋକାନରେ ପହଞ୍ଚି ଛାନଭିନ କରିବା ସହିତ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ଅପରପକ୍ଷରେ ରାତ୍ରି ପାଟ୍ରୋଲିଂ ଅଭାବରୁ ଚୋରୀ ହୋଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆଳି ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ