କେନ୍ଦ୍ରାପଡା: ପୁଣି ମାତିଲେ ଲୁଟେରା। ପଟ୍ଟାମୁଣ୍ଡାଇ ଖଡିଅଣ୍ଟା ଛକରେ ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ 70 ଗ୍ରାମ ସୁନା ସହ କେଜିଏ ରୂପା ଓ ନଗଦ 5000 ଟଙ୍କା। ଗୋଟିଏ ବାଇକରେ 3 ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟ୍ କରିଥିବା ଜଣାପଡିଛି ।
ଆକ୍ରମଣରେ ମାଟିଆ ଗ୍ରାମର ସୁନା ବ୍ୟବସାୟୀ ବିଜୟ ସାହୁ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁଅ ରାଧାଗୋବିନ୍ଦ ସାହୁ ଆହତ ହୋଇ ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାବରର ବଢିହରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଖଡିଅଣ୍ଟା ଛକ ପାଖରେ ଦୁବୃର୍ତ୍ତ ଏପରି କରିଛନ୍ତି।
ଗତ କିଛି ଦିନ ତଳେ ଜଣେ ମଦ ବ୍ୟବସାୟୀଙ୍କୁ ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ 2ଲକ୍ଷ 83 ହଜାର ଟଙ୍କା ଓ ବାଲିପାଟଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକ ଡିକି ଭାଙ୍ଗି ଲକ୍ଷେ 89 ହଜାର ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ତେବେ ଦିନକୁ ଦିନ ଏପରି ଲୁଟ୍ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବଢିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ