କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା କୋରୋ ପାଳକଣା ଗ୍ରାମରେ ବାସ କରନ୍ତି ଭାବଗ୍ରାହୀ ସ୍ବାଇଁଙ୍କ ପରିବାର । ଏହି ଗାଁର ଭାବଗ୍ରାହୀ ଓ ମଞ୍ଜୁଲତାଙ୍କ ଏକମାତ୍ର ୫ ବର୍ଷର ପୁଅ ଥାଲାସେମିଆ ରୋଗରେ ପୀଡିତ ହୋଇଥିବାରୁ ପ୍ରତ୍ୟେକ ମାସରେ ତାଙ୍କୁ ଗୋଟିଏ ୟୁନିଟ ରକ୍ତର ଆବଶ୍ୟକତା ରହିଛି। ତେବେ ଗତ ଦୁଇମାସ ହେବ ଭାବଗ୍ରାହୀ ଓ ମଞ୍ଜୁଲତା ପୁଅକୁ ଧରି ବାରମ୍ବାର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରକୁ ଆସୁଥିବା ବେଳେ ରକ୍ତ ଭଣ୍ଡାର ଅଧିକାରୀ ଓ କର୍ମଚାରୀ ଏଠାରେ ଆବଶ୍ୟକୀୟ ରକ୍ତ ନଥିବା କହି ଫେରାଇ ଦେଉଥିବା କହିଛନ୍ତି ଉଭୟ ପିତାମାତା।
ରାଜ୍ୟ ସରକାର ଓ ବିଭିନ୍ନ ସ୍ବେଛାସେବୀ ଗୋଷ୍ଠୀ ରକ୍ତ ଅଭାବରୁ କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ଦିଆଯିବ ନାହିଁ ବୋଲି ବାହାସ୍ଫୋଟ ମାରୁଥିବା ବେଳେ ବାସ୍ତବିକତା ଚିତ୍ର ସମ୍ପୂର୍ଣ୍ଣ ଅଲଗା । ପ୍ରତିବର୍ଷ ରକ୍ତଦାନ ଦିବସ ପାଳନ କରି ସରକାର ବ୍ୟାପକ ଜନ ସଚେତନତା ସୃଷ୍ଟି କରୁଥିବା ବେଳେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ପାଇଁ କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତିବିଶେଷ ଦୀର୍ଘ ୩ମାସ ଧରି ରକ୍ତଦାନ ଶିବିର ଆୟୋଜନ କରିନଥିବା ବେଳେ ଆବଶ୍ୟକୀୟ ରକ୍ତ ସଂଗ୍ରହ କରାଯାଇ ପାରୁନଥିବା କହିଛନ୍ତି ରକ୍ତ ଭଣ୍ଡାର ଅଧିକାରୀ।
ପ୍ରତ୍ୟେକ ମାସରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦୦ ୟୁନିଟ ରକ୍ତର ଆବଶ୍ୟକତା ରହିଥିବା ବେଳେ ସେଥିମଧ୍ୟରୁ ୧୫୦ ୟୁନିଟ କେବଳ ଥାଲାସେମିଆ ରୋଗୀଙ୍କ ପାଇଁ ଆବଶ୍ୟକତା ରହିଥିବା ସୂଚନା ମିଳିଛି। ଅନ୍ୟପଟେ ବେସରକାରୀ ମେଡିକାଲ ଗୁଡିକ ଫେକ ରିକ୍ୟୁଜିସନ ସାର୍ଟିଫିକେଟ ପ୍ରଦାନ କରି ରକ୍ତ ଭଣ୍ଡାରରୁ ରକ୍ତ ନେଇ ଏହାକୁ ଉଚ୍ଚ ଦରରେ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି।
ଦଲାଲମାନେ ସକ୍ରିୟ ହୋଇ ଗୋଟିଏ ୟୁନିଟ ରକ୍ତକୁ ୧୫୦୦ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ବେଳେ ଗରିବ ପରିବାରର ରୋଗୀଟିଏ ରକ୍ତ ଅଭାବରୁ ମୃତ୍ୟୁମୁଖକୁ ଠେଲି ହୋଇଯାଉଛି। ଏଭଳି ସମୟରେ ରକ୍ତର ଅଭାବ ଯୋଗୁଁ ପିଲାଟି ବଞ୍ଚିବ କେମିତି ସେନେଇ ଚିନ୍ତାରେ ବାପାମା। ଏଥିପାଇଁ ସେମାନେ ଲୋଡିଛନ୍ତି ସହଯୋଗ । ବାରମ୍ବାର ରକ୍ତ ଅଭାବ ଓ ବିକ୍ରିକୁ ନେଇ ଅଭିଯୋଗ ଆସୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ