କେନ୍ଦ୍ରାପଡା: ରାସ୍ତା ପାଲଟିଛି ମରଣଯନ୍ତା। ଜାତୀୟ ରାଜପଥରେ ସୃଷ୍ଟି ହୋଇଛି ବଡବଡ ଖାଲଖମା। ଯଦ୍ବାରା ଦୁର୍ଘଟଣାର ଶିକାର ହୋଇ ଯାଉଛି ଅକାରଣେ ଅନେକ ଜୀବନ । କେନ୍ଦ୍ରାପଡା ୫୩ ନଂ ଜାତୀୟ ରାଜପଥ, ଯେଉଁଠି ପ୍ରତ୍ୟେକ ଦିନ ଚଳାଚଳ କରୁଛି ଶହ ଶହ ଯାନ। କେନ୍ଦୁଝର, ସୁନ୍ଦରଗଡ, ଯାଜପୁର ଓ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରୁ ପାରାଦୀପ କୁ ଟ୍ରକ ଗୁଡିକରେ ଖଣିଜ ପଦାର୍ଥ ପରିବହନ ପାଇଁ ତିଆରି ହୋଇଥିଲା ଏହି ରାସ୍ତା। ୨୦୦୨ ମସିହା ପୁର୍ବରୁ ଏହି ରାସ୍ତାଟି ଦୁଇ ଥାକିଆ ଥିବା ବେଳେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବ ସମୟରେ ଆରମ୍ଭ ହୋଇଥିବା ସ୍ବର୍ଣ୍ଣିମ ଚତୁର୍ଭୁଜ ଯୋଜନାରେ, ଚଣ୍ଡୀଖୋଲରୁ ପାରାଦ୍ବୀପ ଯାଏଁ ଚାରି ଥାକିଆ ରାସ୍ତା ନିର୍ମାଣ ହୋଇଥିଲା। ଉଦ୍ଦେଶ୍ୟ ଥିଲା ରାସ୍ତା ପ୍ରଶସ୍ତ ହେଲେ ଦୁର୍ଘଟଣା କମିବ। ହେଲେ ବର୍ତ୍ତମାନ ସ୍ଥିତିରେ ଏହା ଓଲଟା ପରିଲିକ୍ଷିତ ହେଉଛି ।
ଅନ୍ୟପଟେ NHAI ଚଣ୍ଡିଖୋଲ ଶ୍ରୀରାମପୁର ନିକଟରେ ଥିବା ଟୋଲ ଗେଟରୁ ଟୋଲ ଟ୍ୟାକ୍ସ ଆଦାୟ କରି ନିଜ କର୍ତ୍ତବ୍ୟ ସାରିଦେଉଛନ୍ତି । ତେବେ ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ଜିଲ୍ଲାରେ ୭୧ଟି ଦୁର୍ଘଟଣା ଘଟିଥିବା ବେଳେ ୭୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୫୩ ନମ୍ବର ଜାତୀୟ ରାଜପଥରେ ୨୩ଟି ଦୁର୍ଘଟଣାରେ ୨୪ ଜଣଙ୍କର, ୯ନଂ(କ)ରାଜ୍ୟ ରାଜପଥରେ ୧୬ ଟି ଦୁର୍ଘଟଣାରେ ୧୭ ଜଣଙ୍କର ଓ ଗ୍ରାମାଞ୍ଚଳ ମାନଙ୍କରେ ୩୨ଟି ଦୁର୍ଘଟଣାରେ ୩୩ ଜଣଙ୍କର ଜୀବନ ଯାଇଥିବା ରିପୋର୍ଟ ଦେଇଛି ଆଞ୍ଚଳିକ ପରିବହନ ବିଭାଗ। ୨୦୦୯ରେ କେନ୍ଦ୍ରାପଡାରେ ଆଞ୍ଚଳିକ ପରିବହନ ବିଭାଗ ସ୍ଥାପନ କରାଯାଇଥିବା ବେଳେ, ଏହି ବିଭାଗ ମଧ୍ୟ କେବଳ ଫାଇନ ଆଦାୟ କରି କାମ ଶେଷ କରୁଥିବା ଅଭିଯୋଗ ହୋଇଛି।
ଜିଲ୍ଲାରେ ବଢୁଥିବା ଦୁର୍ଘଟଣା ଗୁଡିକ ଉପରେ ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ନିତ୍ୟାନ୍ତ ଆବଶ୍ୟକ ରହିଛି । ନଚେତ ଅକାରଣରେ ଆଗକୁ କେତେ ଯେ ଜୀବନ ଯିବ ତାହା କହିବା କଷ୍ଟକର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ