କେନ୍ଦ୍ରାପଡା: ଜ୍ବାଇଁକୁ ମରଣାନ୍ତକ ଆକ୍ରମଣ କରିଥିବା ଶ୍ବଶୁରକୁ ଏକ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । କେନ୍ଦ୍ରାପଡା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ବିବଶ୍ବତ ଗୌତମ ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି।
ଗତ ୨୦୧୭ ମସିହା ଜୁନ ମାସରେ ପାଟକୁରା ଥାନା ଅନ୍ତର୍ଗତ ବୈକୁଣ୍ଠନାଥପୁର ଗ୍ରାମର ପ୍ରସନ୍ନ ସାହୁଙ୍କ ଘରକୁ ତାଙ୍କ ଶାଶୁ ଗାୟତ୍ରୀ ରାଉତ ସାବିତ୍ରୀ ଭାର ନେଇ ଆସିଥିବା ବେଳେ ସନ୍ଧ୍ୟାରେ ପ୍ରସନ୍ନଙ୍କ ଶ୍ବଶୁର ନଟବର ରାଉତ ତାଙ୍କ ଘରେ ପହଞ୍ଚି ପ୍ରସନ୍ନଙ୍କୁ ଗାଳିଗୁଲଜ କରିଥିଲେ। ପରେ ପ୍ରସନ୍ନ ଶ୍ବଶୁର ନଟବରଙ୍କୁ ବୁଝାସୁଝା କରି ଫେରାଇଥିଲେ ମଧ୍ୟ ମଧ୍ୟରାତ୍ରରେ ପୁନର୍ବାର ନଟବର ପ୍ରସନ୍ନଙ୍କ ଘର ପାଖରେ ଛପି ରହି ପ୍ରସନ୍ନ ବାହାରକୁ ଉଠିଥିବା ସମୟରେ ଏକ ବାରିସୀ ସାହଯ୍ୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଏହି ଘଟଣାରେ ପାଟକୁରା ଥାନାରେ ୧୧୬/୧୭ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଶ୍ବଶୁର ନଟବରକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଏହି ଆକ୍ରମଣ ଘଟଣାରେ ମୋଟ ୭ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ମଙ୍ଗଳବାର ଅଭିଯୁକ୍ତ ନଟବରକୁ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଜ୍।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ