କେନ୍ଦ୍ରାପଡା: ଦୁଇ ଦିନ ଇଣ୍ଟରସେବା ବନ୍ଦ ହେବା ପରେ ଶୁକ୍ରବାରଠୁ ଏହା ସ୍ବଭାବିକ ହୋଇଛି । ମାତ୍ର ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ସମ୍ଭାବନା ଥିବା ବେଳେ ଭଲିବଲ ଓ ବାସ୍କେଟବଲ ପ୍ରତିଯୋଗିତାର ପୋଲିସ ସମୟ ଅତିବାହିତ କରିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଶୁକ୍ରବାର କେନ୍ଦ୍ରାପଡାରେ ଚାଲିଥିଲା 76ତମ ପୋଲିସ ଭଲିବଲ ଓ ବାସ୍କେଟବଲ ପ୍ରତିଯୋଗିତା । ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଦାୟିତ୍ବ ନେଇଥିଲା ଜିଲ୍ଲା ପୋଲିସ । ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଖେଳକୁଦରେ ମାତିଥିଲେ ପୋଲିସ କର୍ମଚାରୀ । ପ୍ରତିଯୋଗିତା ସେହି ସମୟରେ ହେଉଥିଲା, ଯେଉଁ ସମୟରେ ଆଇନଶୃଙ୍ଖଳର ଆଶଙ୍କା କରି 10 କିଲୋମିଟର ପରିଧି ଭିତରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା । ପ୍ରତିଯୋଗିତା ସେହିସ୍ଥାନରେ ହେଉଥିଲା, ଯେଉଁସ୍ଥାନରେ ଗତ ଜାନୁୟାରୀ ମାସ 23 ତାରିଖ ଦିନ ନେତାଜୀ ଜୟନ୍ତୀ ପାଳନକୁ ନେଇ ଦୁଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ପୋଲିସର ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ ସୋମବାର ଅର୍ଥାତ ଜୁନ 3 ତାରିଖ ସନ୍ଧ୍ୟାରେ ବାଇକ ଚଳାଇବା ଘଟଣାକୁ କେନ୍ଦ୍ରକରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଅସାମାଜିକ ଯୁବକ ସହରର ମହାବୀର ଗଳିରେ ଥିବା ଅନ୍ୟଏକ ଗୋଷ୍ଠୀର ବାପପୁଅଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ଯୁବକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ 24 ଘଣ୍ଟା ପୁରିବା ପରେ ମଧ୍ୟ ପୋଲିସର ହାତ ଖାଲି ରହିବା ଏବଂ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ କୋହଳ ଦଫା ଲଗାଇବା ଅଭିଯୋଗରେ 4 ତାରିଖରେ ବିଭିନ୍ନ ସଙ୍ଗଠନ ପକ୍ଷରୁ କେନ୍ଦ୍ରାପଡ଼ା ଟାଉନ ଥାନା ଘେରାଓ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ନେଇ ପୋଲିସର ପ୍ରତିଶ୍ରୁତି ପରେ ସ୍ଥିତି ଶାନ୍ତ ପଡିଥିଲା । ଏପଟେ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ 5 ତାରିଖରୁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ 10କିମି ପରିଧି ମଧ୍ୟରେ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିଥିଲା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ