କେନ୍ଦ୍ରାପଡ଼ା: ରାଜକନିକା ବରୁଣାଡ଼ିହା ଖରସ୍ରୋତା ନଦୀରେ ନିର୍ମାଣ କରାଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପର୍କରେ ପ୍ରଥମ ଥର ମୁହଁ ଖୋଲିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି। ଲୋକଙ୍କ ସ୍ବାର୍ଥ ସହ ସଦାସର୍ବଦା ବିଜେଡି ରହିଆସିଛି ଓ ଲୋକଙ୍କୁ କ୍ଷତି ପହଞ୍ଚାଉଥିବା କୌଣସି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଅନୁମତି ଦେବେନାହିଁ ବୋଲି କହିବା ସହ ସେ(ଅନୁଭବ) ଲୋକମାନଙ୍କ ସହିତ ଅଛନ୍ତି ବୋଲି ନିଜର ସ୍ପଷ୍ଟ ମତ ଗଣମାଧ୍ୟମରେ କହିଛନ୍ତି।
ସୂଚନାଯୋଗ୍ୟ, ଗତମାସ ୧୨ ତାରିଖରେ ହଜାର ହଜାର ଲୋକ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ସ୍ଥାନରେ ୧୪୪ ଧାରା ଲାଗୁ ହୋଇଥିବା ସତ୍ତ୍ବେ ଲୋକମାନେ ଧସେଇ ପଶି ଉକ୍ତ ପ୍ରକଳ୍ପ କାମ କରୁଥିବା ମେଗା କମ୍ପାନୀର ଲକ୍ଷାଧିକ ଟଙ୍କାର ସମ୍ପତ୍ତିକୁ ଭାଙ୍ଗିରୁଜି ନଷ୍ଟ କରିଦେଇଥିଲେ । ଏନେଇ ପୋଲିସ ୨୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା। ଜବାବ ସ୍ବରୂପ ଦୀର୍ଘଦିନ ଧରି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ସ୍ଥାନୀୟ ଅଚ୍ୟୁତପୁରଠାରେ ଧାରଣା ଜାରି ରହିଥିବା ବେଳେ ଗତ ୭ ତାରିଖ ଦିନ ବିଧାନସଭା ଘେରାଉ କରିଥିଲା ସଂଗ୍ରାମ ସମିତି ମଞ୍ଚ।
ତେବେ ଗୃହରେ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଖରସ୍ରୋତା ସମ୍ପର୍କୀୟ ପ୍ରଶ୍ନର ଉତ୍ତର ଦେଇଥିଲେ ଆଳି ବିଧାୟକ ପ୍ରତାପ କେଶରୀ ଦେବ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ