କେନ୍ଦ୍ରାପଡା: ଜୀବନଜୀବିକା ନେଇ ଚିନ୍ତାରେ ପାରମ୍ପରିକ ମତ୍ସ୍ୟଜୀବୀ। ସମୁଦ୍ରରେ ଆଉ ଆଗ ଅପେକ୍ଷା ମାଛ ମିଳୁନଥିବାରୁ ଚିନ୍ତାରେ ମତ୍ସ୍ୟଜୀବୀ ସମେତ ବୋଟ ମାଲିକ । ସମୁଦ୍ରରେ ମାଛ ହେଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି । ଯେଉଁଥିଲାଗି ମତ୍ସ୍ୟଜୀବୀମାନେ ଏବେ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି । ଏପରି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ସମୁଦ୍ର କୂଳର 10ଟି ପଞ୍ଚାୟତରେ ।
ଖରିନାସୀ ସମେତ ଜମ୍ବୁ, ଛପାଲି, ରାମନଗର ଓ ଗୋଗୁଆ ଆଦି ଦଶଟି ପଞ୍ଚାୟତର ମତ୍ସ୍ୟଜୀବୀଙ୍କର ଏବେ ସମାନ ସ୍ଥିତି । ମାଛ ମାରିବା ପାଇଁ ସମୁଦ୍ର ମଧ୍ୟକୁ ୩୦ ମାଇଲ ବାଟ ଯାଉଥିଲେ ମଧ୍ୟ ମାଛ ନପାଇ ହତାଶ ହୋଇ ମତ୍ସଜୀବୀ ମାନଙ୍କୁ ଫେରିବାକୁ ପଡୁଛି । ବର୍ଷରେ କେବଳ ଜୁନ୍ 15ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇପାରୁଥିବା ମତ୍ସ୍ୟଜୀବୀମାନଙ୍କୁ ବର୍ତ୍ତମାନ ମାଛ ନମିଳିବା ବୋଝ ଉପରେ ନଳିତା ବିଡା ପରି ସ୍ଥିତି ହୋଇଛି ।
ସୂଚନା ଥାଉକି, ନଭେମ୍ବର ୧ରୁ ଅପ୍ରେଲ ୧୫ ପର୍ଯ୍ୟନ୍ତ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାପାଇଁ ବାରଣ କରାଯାଇଥାଏ। ପରେ ଅପ୍ରେଲ ୧୫ ରୁ ଜୁନ ୧୫ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ମଧ୍ୟ ପୁନର୍ବାର ବାରଣ କରାଯାଇଥାଏ ।
ଅଗଷ୍ଟ ମାସରେ ପ୍ରଚୁର ପରିମାଣରେ ଇଲିସି ମାଛ ମିଳିଥାଏ। ଏହାର ଚାହିଦା ବଜାରରେ ରହୁଥିବାରୁ ଏହାକୁ ବିକ୍ରିକରି ବୋଟ ମାଲିକ ବ୍ୟାଙ୍କ ଋଣ ଓ ହାତ ଉଧାରି ସୁଝିବାରେ ମନ କରିଥାଏ । କିନ୍ତୁ ଚଳିତବର୍ଷ ପୁବେଇ ପବନର ଅଭାବ ଓ କମ ବର୍ଷା ତଥା ସମୁଦ୍ର ଅବବାହିକାରେ ଥିବା କଲକାରଖାନାରୁ ନିର୍ଗତ ଟକ୍ସାଇଡ ପାଣି ଯୋଗୁଁ ସମୁଦ୍ର ଜଳ ଦୂଷିତ ହେଉଥିବାରୁ ମାଛ ମିଳିବା ଅସମ୍ଭବ ହୋଇପଡିଛି । ଏପରିକି ସମୁଦ୍ରରେ ମାଛ ଅଛନ୍ତି କି ନାହିଁ ତାହା ମଧ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ଯାହାକୁ ନେଇ ମତ୍ସ୍ୟଜୀବୀ ମାନେ ଚିନ୍ତାରେ ଥିବାବେଳେ କିଛି ଜଣ ଦାଦନ ଖଟିବାକୁ ଚାଲିଗଲେଣି ।
ସେପଟେ ମତ୍ସ୍ୟଜୀବୀ ମାନଙ୍କ କ୍ଷତିକୁ ବିଚାର କରି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ