କେନ୍ଦ୍ରାପଡା: ନିର୍ମାଣାଧୀନ ପୋଲ ଗାର୍ଡର ଭୁଶୁଡିବା ଘଟଣାର ୧୫ ଦିନ ପରେ ନିଆଯାଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ । ଉଚ୍ଚସ୍ତରୀୟ କମିଟି ଏହି ଦୁର୍ଘଟଣାର ସରଜମିନ ତଦନ୍ତ କରିବା ପରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଅନ୍ୟତ୍ର ବଦଳି କରାଯାଇଛି । ଅଧିକାରୀଙ୍କ ଦୋଷତ୍ରୁଟି ଜଣାପଡିବା ପରେ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କୁ ଭୁବନେଶ୍ୱର ସ୍ଥିତ ପୂର୍ତ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।
ଘଟଣା ଅନୁଯାୟୀ,କେନ୍ଦ୍ରାପଡା ସହର ମଧ୍ୟଦେଇ ପ୍ରବାହିତ ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ରାସ୍ତାର ପୋଲ ନିର୍ମାଣ ହେଉଥିବା ସମୟରେ ଗତ ୧୪ ତାରିଖ ଦିନ ଭୁଶୁଡି ପଡିଥିଲା । ପୋଲର ଗାର୍ଡରକୁ ବେସ ଉପରେ ରଖା ଯିବାର ୧୪ ଘଣ୍ଟା ପରେ ଅର୍ଥାତ ୧୫ ତାରିଖ ପୂର୍ବାହ୍ନରେ ଏହି ୩୬ ମିଟର ଲମ୍ବ ବିଶିଷ୍ଟ ଗାର୍ଡର ଭୁଶୁଡି ପଡିଥିଲା । ପାଖାପାଖି ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟରେ ନିର୍ମାଣାଧୀନ ଏହି ପୋଲର ଗାର୍ଡର ଭୁଶୁଡିବା ଘଟଣାରେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ 5T ଯୋଜନାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।
ଏହି ଘଟଣା ସମ୍ପର୍କରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଧାନସଭାରେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ କାମ କରୁଥିବା ଠିକା ସଂସ୍ଥା ARSS ଉପରେ କାହିଁକି ଏଯାବତ କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ ବୋଲି ପ୍ରଶ୍ନ କରିବା ପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ଏହି ଟିମ ୧୮ ତାରିଖ ଦିନ ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନ ଚିଫ(ଡିଜାଇନ) ଡ଼ଃ ଏନ.ସି.ପାଲ, ବିଶ୍ୱ ବ୍ୟାଙ୍କ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର ଏବଂ କ୍ବାଲିଟି କଣ୍ଟ୍ରୋଲ ୟୁନିଟର ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଭାଙ୍ଗିଥିବା ଗାର୍ଡରକୁ କମ୍ପାନୀ କର୍ତ୍ତୃପକ୍ଷ ବିଭାଗ ଅଗୋଚରରେ ନଷ୍ଟ କରିଦେବା ନେଇ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ କ୍ଷୀରୋଦଙ୍କ ଉପରେ ଖୁବ ଜୋରରେ ବର୍ଷିଥିଲେ ।
ଏହାସହ ସମସ୍ତ ନମୁନା ସଂଗ୍ରହ କରି ଫେରିଥିଲେ । ଅପରପକ୍ଷରେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ ନିଜ ଆଡୁ ମାମଲା ଦାଏର କରି ରାଜ୍ୟ ଭିଜିଲାନ୍ସ ବିଭାଗକୁ ଆସନ୍ତା ଜୁନ ୨୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ଟିମର ଉଚ୍ଚସ୍ତରୀୟ ତଦନ୍ତ ଓ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ତଦନ୍ତ ନେଇ ପୂର୍ତ୍ତ ବିଭାଗ ପାଇଁ ଅଡୁଆ ବଢିଥିଲା । ତେବେ ଘଟଣାର ୧୫ ଦିନ ପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ଚନ୍ଦ୍ର ରାଉତଙ୍କୁ ଚିଠି ନଂ-୫୪୮୧ରେ ଇଆଇସି ଅଫିସକୁ ବଦଳି କରାଯାଇଥିବା ବେଳେ ଠିକାସଂସ୍ଥା ARSS ଓ ଦାୟିତ୍ୱରେ ଖିଲାପ କରିଥିବା କନିଷ୍ଠ ଯନ୍ତ୍ରୀଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ତାହାକୁ ସମସ୍ତଙ୍କ ଅପେକ୍ଷା ।
ଇଟିଭି ଭାରତ, କେନ୍ଦ୍ରାପଡା