କେନ୍ଦ୍ରାପଡା: ୧ ଏପ୍ରିଲ ୧୯୯୩ ମସିହାରେ ନୂତନ କେନ୍ଦ୍ରାପଡାକୁ ଜିଲ୍ଲା ମାନ୍ୟତା ମିଳିଥିଲା। ଘୋଷଣା ହେବାର ଠିକ ଦୁଇଦିନ ପରେ ଅର୍ଥାତ ୩ ଏପ୍ରିଲ ୧୯୯୩ ମସିହା ଆଜିର ଦିନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜିଲ୍ଲା ଗଠନର ଶିଳାନ୍ୟାସ କରିଥିଲେ । ତେବେ ଜିଲ୍ଲା ଗଠନ ହେବା ପରେ ଅନେକ ସ୍ବପ୍ନ ଦେଖିଥିଲେ ଜିଲ୍ଲାବାସୀ । କଟକରୁ ଅଲଗା ହେବା ପରେ ଆଉ କଟକ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ସେମାନେ ଭାବିଥିଲେ । ହେଲେ ଏହାରି ଭିତରେ ଜିଲ୍ଲା ଗଠନକୁ ୩୦ ବର୍ଷ ପୁରି ୩୧ ବର୍ଷ ହୋଇଛି । ଏବେବି ବି ଅପହଞ୍ଚ ମୌଳିକ ସୁବିଧା ଆଉ ବାଟବଣା ବିକାଶ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୭ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୧୦ ଲକ୍ଷ ଲୋକ ବାହାର ଜିଲ୍ଲା, ରାଜ୍ୟ ଓ ଦେଶରେ ଦାଦନ ଖଟୁଛନ୍ତି ।
ଭୌଗୋଳିକ ଦୃଷ୍ଟିକୋଣରୁ ଜିଲ୍ଲାର କ୍ଷେତ୍ରଫଳ ୨୬୪୪ ବର୍ଗ କିଲୋମିଟର ରହିଥିବା ବେଳେ ୨୦୧୧ ଜନଗଣନାରେ ଜିଲ୍ଲାରେ ବସବାସ କରୁଛନ୍ତି ୧୪,୪୦,୪୬୧ଜଣ ମହିଳା ଓ ପୁରୁଷ । ଏଥିସହ ସାଧାରଣ ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବା ସହିତ ପ୍ରଶାସନ,ପ୍ରଶାସକ ଓ ବ୍ୟକ୍ତିବିଶେଷଙ୍କ ସଂପୃକ୍ତିରେ ବିକାଶ କାର୍ଯ୍ୟକୁ ଆଗେଇନେବା ପାଇଁ ୧୯୯୩ ମସିହା ଆଜିର ଦିନରେ ଅବିଭକ୍ତ କଟକ ଜିଲ୍ଲାରୁ ଅଲଗା ହୋଇ କେନ୍ଦ୍ରାପଡ଼ାକୁ ଜିଲ୍ଲାର ମାନ୍ୟତା ମିଳିଥିବା ବେଳେ ଇତିମଧ୍ୟରେ ୩୦ ବର୍ଷ ପୂରଣ କରି ୩୧ ବର୍ଷରେ ପହଞ୍ଚିଛି ।
କୃଷି କ୍ଷେତ୍ରରେ ହୋଇପାରିନି ବିକାଶ: ଜିଲ୍ଲାରେ ଚାଷଜମିକୁ ଆଜି ମଧ୍ୟ ଜଳ ପହଞ୍ଚିବା ସ୍ୱପ୍ନ ହୋଇଛି। ଏକଦା ନଳିତା ଚାଷ ପାଇଁ ଦେଶ ବିଦେଶରେ ନାଁ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ଦୀପାବଳି ଭଳି ପବିତ୍ର ଦିନରେ ପୟା ଶ୍ରାଦ୍ଧ ପାଇଁ ପଡୋଶୀ ଜିଲ୍ଲାରୁ କାଉଁରିଆ ଆମଦାନୀ କରୁଛି । କୃଷି ଓ କୃଷି କ୍ଷେତ୍ର ପ୍ରତି ପ୍ରଶାସନ ଓ ପ୍ରଶାସକଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି । କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାରେ ମୃତ୍ତିକା ପରୀକ୍ଷାଗାର ରହିଥିବା ବେଳେ ଆବଶ୍ୟକୀୟ କର୍ମଚାରୀ ଅଭାବ ଚାଷୀର ଅଣ୍ଟାକୁ ଭାଙ୍ଗି ଦେଇଛି ।
ଶିକ୍ଷା କ୍ଷେତ୍ରକୁ ଅବହେଳା: ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ପ୍ରାଥମିକ ଶିକ୍ଷା ଅବହେଳିତ । ଶିକ୍ଷକ ଅଭାବ ଉଭୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଏବେ ସବୁଠୁ ବଡ଼ ସମସ୍ୟା ହୋଇଛି । ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନକରିବା ଚିନ୍ତାଜନକ ବିଷୟ ହୋଇଛି ।
ପର୍ଯ୍ୟଟନ କ୍ଷେତ୍ର: କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ସମେତ କେତେକ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେଇ ଚୁପ ବସିଛି ଉଭୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ। ଭିତ୍ତିଭୂମି ଅଭାବ କଥା କହି ସମସ୍ତେ ନିଜନିଜର ଦାୟିତ୍ୱ ଶେଷ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅସହାୟ ହୋଇପଡିଛି କେନ୍ଦ୍ରାପଡ଼ା । ରାଜ୍ୟ, ଦେଶ ତଥା ବିଦେଶରେ ବଉଳା କୁମ୍ଭୀର ଓ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ କ୍ଷେତ୍ର ଭାବେ ବେଶ ଜଣାଶୁଣା ଭିତରକନିକା ଓ ଗହିରମଥା ପର୍ଯ୍ୟଟନ ମାନଚିତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ବେଳେ ଏମାନଙ୍କୁ ନେଇ ଗର୍ବ କରିବା ବ୍ୟତୀତ ଏହାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ନିର୍ବାଚିତ ପ୍ରତିନିଧୀମାନଙ୍କ ଇଚ୍ଛା ନଥିବା ମନେ ହୁଏ ।
ଆଜି ବି ସ୍ବପ୍ନ ରେଳସେବା: ଜିଲ୍ଲା ଗଠନର ୨୮ ବର୍ଷ ପରେ ଜିଲ୍ଲାବାସୀ ରେଳ ଦେଖିବାର ସୌଭାଗ୍ୟ ପ୍ରାପ୍ତି ହୋଇଥିଲେ ହେଁ ପାସେଞ୍ଜର ଟ୍ରେନ ସେବା ସାତସପନ ପାଲଟିଛି । ଅନ୍ୟପଟେ ଜିଲ୍ଲାର କିଛି କ୍ଷୁଦ୍ର ବ୍ୟବସାୟୀ ରେଳପଥ ଦେଇ ଜିଲ୍ଲାରୁ ସାମଗ୍ରୀ ରପ୍ତାନି ଓ ଜିଲ୍ଲା ବାହାରୁ ସାମଗ୍ରୀ ଆମଦାନୀ ପାଇଁ ସୁଯୋଗ ପାଇବା ମଧ୍ୟ ଦିବାସ୍ବପ୍ନ ପାଲଟିଛି । କାରଣ ଏହି ରେଳପଥ ମଧ୍ୟଦେଇ ଯାଜପୁରରୁ ଲୁହାପଥର ଜଗତସିଂହପୁରକୁ ରପ୍ତାନୀ ହେଉଥିବା ବେଳେ ଜଗତସିଂହପୁରରୁ କୋଇଲା ଯାଜପୁରକୁ ରପ୍ତାନି ହେଉଥିବା ଦେଖାଯାଇଛି । ଯେଉଁଠି ରାଜ୍ୟବାସୀଙ୍କୁ ସରକାର ମେଟ୍ରୋ ସ୍ବପ୍ନ ଦେଖାଉଛନ୍ତି, ସେଇଠି ରେଳସେବାରୁ ବଞ୍ଚିତ ଜିଲ୍ଲାବାସୀ ।
ସେହିପରି ଆଜି ମଧ୍ୟ ଏକ ମେଡିକାଲ କଲେଜ ପାଇଁ ବାରମ୍ବାର ଦାବି ଉଠୁଥିବା ବେଳେ ସାଧାରଣ ରୋଗର ଚିକିତ୍ସା ପାଇଁ ଜିଲ୍ଲାର ରୋଗୀକୁ ପଡୋଶୀ କଟକ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି । ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି କେନ୍ଦ୍ରାପଡ଼ା ଜିଲ୍ଲାରେ ନଥିବା ଦର୍ଶାଯାଇଛି । ଏପରିକି ଜଣେ ଭଲ ବିଶେଷଜ୍ଞ ଡାକ୍ତର ଜିଲ୍ଲାବାସୀଙ୍କ ଭାଗ୍ୟରେ ନଜୁଟିବା ଜିଲ୍ଲାବାସୀଙ୍କ ପ୍ରତି ସରକାରୀ ପ୍ରତାରଣାକୁ ସିଦ୍ଧ କରୁଛି । ଏକଦା ରାଜ୍ୟ ରାଜନୀତିରେ ନିଜର ପତିଆରା ଜାହିର କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ମୁରବୀଶୂନ୍ୟ ହୋଇପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମାଟିରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ନିର୍ବାଚିତ ହୋଇଥିବା ବେଳେ ଏବେ ରାଜନୈତିକ ଅଳିନ୍ଦରେ ଯୁଝି ହେଉଛନ୍ତି ରାଜନୈତିକ ଦଳର ନେତା ।
ଅନ୍ୟପଟେ ଜିଲ୍ଲାର ମୋଟ ୪୮ କିଲୋମିଟର ସମୁଦ୍ର ଉପକୂଳ ରହିଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଏମାନଙ୍କ ଉପରେ ଦାଉ ସାଧିଥାଏ । ୫୫ଟି ଗାଁ ଏବେ ସମୁଦ୍ର ଗର୍ଭରେ ବୁଡିଯିବାକୁ ବସିଥିବା କୁହନ୍ତି ବୁଦ୍ଧିଜୀବୀ । ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗରେ ଥିବା ମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାରୁ ହୋଇଥିବା ବେଳେ ଏଠାରେ ଶିଳ୍ପର ସମ୍ଭାବନା ଗତ ଏକବର୍ଷ ହେବ ଦେଖାଦେଇଛି । ହେଲେ ଶିଳ୍ପ କେବେ ପ୍ରତିଷ୍ଠା ହେବ ଓ ଜିଲ୍ଲାର ଉଚ୍ଚ ଶିକ୍ଷିତ ଯୁବବର୍ଗ କେବେ ନିଯୁକ୍ତି ପାଇବେ ସେନେଇ ସନ୍ଦେହ ଦେଖାଦେଇଛି । ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ଥିବା ବେଳେ କାହିଁକି ବିଭିନ୍ନ କ୍ଷେତ୍ରରେ ପଛୁଆ କେନ୍ଦ୍ରାପଡା ? ଅବହେଳାର ଶିକାର ହେଉନି କି ତୁଳସୀ କ୍ଷେତ୍ର ? ଏ ପ୍ରଶ୍ନ ଏବେ ଜନ ସାଧାରଣଙ୍କ ମନରେ ଉଙ୍କି ମାରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ