କେନ୍ଦ୍ରାପଡ଼ା: ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର(Kendrapara Autonomous College) ବର୍ତ୍ତମାନ ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲାର ଅଭିଯୋଗ । 2014 ମସିହାରେ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର 124ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କ ଦ୍ଵାରା ପଦୋନ୍ନତିକୁ ନେଇ ଏଜି(ଆଟର୍ଣ୍ଣି ଜେନେରାଲ)ଅଡିଟରେ ଆପତ୍ତି ଉଠାଇବା ପରେ ସେ ସମୟର ଡିପିଆଇ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର 4ଜଣ ଅଧ୍ୟାପକଙ୍କ ସେବାପୁସ୍ତିକା(Service Book) ଜବତ କରିନେଇଥିଲେ । ତେବେ 2019 ମସିହାରେ ଦୁଇ ଅଧ୍ୟାପକ ଉଚ୍ଚ ନ୍ୟାୟାଳୟରେ ମାମଲା କରି ସେମାନଙ୍କ ସେବାପୁସ୍ତିକା ଫେରସ୍ତ ପାଇଥିବା ବେଳେ ବର୍ତ୍ତମାନ ଭାରପ୍ରାପ୍ତ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ସେବାପୁସ୍ତିକାକୁ କୌଣସି ଆପତ୍ତି ବିନା ଗତ ଫେବୃଆରୀ ମାସରେ ଭିଜିଲାନ୍ସ ଫେରାଇ ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଅଧ୍ୟକ୍ଷ ।
ଗତ ଏପ୍ରିଲ 30 ତାରିଖରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ବରିଷ୍ଠତା ଦୃଷ୍ଟିରୁ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ତେବେ ତାଙ୍କ ଅଧ୍ୟକ୍ଷ ପଦବୀକୁ ନିୟମିତ କରିବା ପାଇଁ ମହାବିଦ୍ୟାଳୟ ପରିଚାଳନା କମିଟି ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରିବା ପରେ ଗୋପାଳ ଚନ୍ଦ୍ର ବେହେରାଙ୍କ ନାମରେ ଭିଜିଲାନ୍ସ ମାମଲା ଥିବା ଦର୍ଶାଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଚ୍ଚଶିକ୍ଷା ବିଭାଗ ଭିଜିଲାନ୍ସକୁ ମାମଲା ସମ୍ପର୍କରେ ଜାଣିବା ପାଇଁ ଚିଠି ଲେଖିଥିବା ସୂଚନା ମିଳିଛି ।
ଅନ୍ୟପଟେ ତାଙ୍କର ଏହି ସାମୟିକ ଅଧ୍ୟକ୍ଷ ପଦବୀ ଦାୟିତ୍ୱ ସମୟରେ ମହାବିଦ୍ୟାଳୟରେ ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ କରୁଥିବା ମନୋମୁଖୀ କାର୍ଯ୍ୟବଳୀ ଉପରେ ସେ ରୋକ ଲଗାଇଥିବାରୁ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ କିଛି ଗୋଷ୍ଠୀ ତାଙ୍କ ବିରୋଧରେ ଏଭଳି ଅପପ୍ରଚାର ଚଳାଇଥିବା କହିଛନ୍ତି ଗୋପାଳ ଚନ୍ଦ୍ର । ସେହିପରି ପଦାର୍ଥ ବିଜ୍ଞାନ(PHYSICS) ବିଭାଗର ବରିଷ୍ଠ ପ୍ରାଧ୍ୟାପକ ସଞ୍ଜୀବ ମହାନ୍ତିଙ୍କ ସେବାପୁସ୍ତିକା ବାବଦୀୟ ତଥ୍ୟ ମାଗିବାରୁ ସେ ଏହା ପ୍ରଦାନ କରିବାରେ ଅସମର୍ଥ ଓ ଆଡିସନାଲ ସେକ୍ରେଟାରୀଙ୍କ ପାଖରେ ଅଛି ବୋଲି କହିଥିଲେ । ତେବେ ସଞ୍ଜୀବ ସେବା କରିଥିବା ଚୌଦ୍ୱାର କଲେଜରୁ ତାଙ୍କ ସେବାପୁସ୍ତିକା ସମ୍ପର୍କରେ ତଥ୍ୟ ମାଗିବାରୁ ସେ ଅସହିଷ୍ଣୁ ହୋଇ ଏଭଳି ସୋସିଆଲ ମିଡିଆରେ ଭାଇରଲ କରିଥିବା କଥାକୁ ପରୋକ୍ଷରେ କହିଛନ୍ତି ଅଧ୍ୟକ୍ଷ । ଏନେଇ ପ୍ରାଧ୍ୟାପକଙ୍କୁ ପଚାରିବାରୁ ସେ ଏନେଇ କୌଣସି ମତାମତ କୌଣସି ଗଣମାଧ୍ୟମରେ ଦେବେ ନାହିଁ ବୋଲି ରୋକଠୋକ କହିଥିବା ବେଳେ ତାଙ୍କ ସେବାପୁସ୍ତିକା ନେଇ ବର୍ତ୍ତମାନ ଅଧ୍ୟକ୍ଷ ଯେଉଁ ତଥ୍ୟ ଚୌଦ୍ୱାର କଲେଜକୁ ମାଗିଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ସେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦରଖାସ୍ତ ଦେଇଥିବା କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ