କେନ୍ଦ୍ରାପଡ଼ା: ଜିଲ୍ଲାରେ କୋଭିଡ ସ୍ଥିତି ଆୟତରେ ରହିଛି । ଏନେଇ ଜିଲ୍ଲାପାଳ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର ୧୦.୧% ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଥିବା ବେଳେ ଆଜି ଜିଲ୍ଲାରେ ୧୩୯ ଜଣ କୋଭିଡ ଆକ୍ରାନ୍ତ ହୋଇଛନ୍ତି ।
ଜିଲ୍ଲାରେ ଏଯାବତ ୧୧୧୫ ଟି ଆକ୍ଟିଭ ସଂକ୍ରମଣ କେଶ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୧ ଜଣ ସଂକ୍ରମିତ ଗୃହ ପୃଥକାବାସରେ ରହୁଛନ୍ତି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ବଗଡ଼ା, ରାଜକନୀକା ବ୍ଲକର ଜାଗୁଳାଇପଡା, ମହାକାଳପଡ଼ା ବ୍ଲକର ଜାଲକଣା ଓ କେନ୍ଦ୍ରାପଡ଼ା ବ୍ଲକର ଜଜାଙ୍ଗ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ଆସନ୍ତା ସୋମବାର ଠାରୁ ଜିଲ୍ଲାର ୯ଟି ବ୍ଲକ ଏବଂ ୨ଟି ମ୍ୟୁନିସିପାଲିଟିର ୫୨ଟି ସ୍ଥାନରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ କୋଭିଡ ଟିକାର ପ୍ରଥମ ଡୋଜ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ମୋଟ ୬୫୦୦ ଟିକାକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ବିଭିନ୍ନ ସ୍ଥାନରେ ଦିଆଯିବ ବୋଲି ସୂଚନା ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ