କେନ୍ଦ୍ରାପଡା: ବିପଦରେ ଲୁଣା ଜଙ୍ଗଲ ହେନ୍ତାଳବଣ ଆଉ ବିପଦରେ ମଣିଷ। ରକ୍ଷଣାବେକ୍ଷଣ ଅଭାବରୁ ଓ ଜଙ୍ଗଲ ନଷ୍ଟ ଯୋଗୁଁ ସ୍ଥଳଭାଗ ଆଡକୁ ମାଡି ଆସୁଛି ସମୁଦ୍ର। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ବାସିନ୍ଦାଙ୍କ ଦୁଃଖକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ନିର୍ମାଣ କରିଥିବା ଫିଲ୍ମ 'କାଲିର ଅତୀତ' ଗୋଆରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (IFFI)ପାଇଁ ନୋମିନେଟ ହୋଇଛି । ସାରା ଭାରତ ବର୍ଷରେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବ ।
ଓଡ଼ିଶାର 488କିଲୋମିଟର ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଧୀରେଧୀରେ ମାଡି ଆସୁଛି ସମୁଦ୍ର। କେନ୍ଦ୍ରାପଡ଼ା,ଜଗତସିଂହପୁର,ପୁରୀ ଓ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ମାଡି ଆସୁଥିବା ବେଳେ ଚିନ୍ତାରେ ଜନସାଧାରଣ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର,ମହାକାଳପଡ଼ା ଅଞ୍ଚଳରେ ସମୁଦ୍ର କୁଳ ଲଙ୍ଘନ କରି ଜନବସତି ଆଡକୁ ଆସୁଥିବା ବେଳେ ଏହାକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସି-ୱାଲ ମାନ ନିର୍ମାଣ କରୁଛନ୍ତି କିନ୍ତୁ ପ୍ରାକୃତିକ ଉପାୟରେ ଏହାକୁ ରୋକିବା ପାଇଁ ନା ଅଛି ଇଛାଶକ୍ତି ନା ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ହେନ୍ତାଳ ବଣ ବା ଲୁଣାଜଙ୍ଗଲ ସମୁଦ୍ର ଜୁଆରକୁ ରୋକୁଥିବା ବେଳେ ଚିଙ୍ଗୁଡ଼ି ଘେରି ଓ କାଠ ବିକ୍ରି ଉଦ୍ଦେଶ୍ୟରେ ଏହି ହେନ୍ତାଳବଣ ଗୁଡିକୁ ନଷ୍ଟ କରାଯାଉଥିବାରୁ ଆଉ କିଛି ବର୍ଷ ପରେ ସମଗ୍ର ଅଞ୍ଚଳ ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହେଉଛି।ହେନ୍ତାଳବଣ ନଷ୍ଟ କରି ପାରାଦ୍ୱୀପ ବନ୍ଦର ତିଆରି କରାଯାଇଥିବାରୁ ସମୁଦ୍ର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଥିବା ଏହାର ଏକ ବଳିଷ୍ଠ ଉଦାହରଣ ମାତ୍ର। ରାଜନଗର ଓ ମହାକାଳପଡା ଅଞ୍ଚଳରେ କିଛି ଅସାଧୁ ବ୍ୟକ୍ତି ହେନ୍ତାଳ ବଣକୁ କାଟି ଚିଙ୍ଗୁଡ଼ି ଘେରି କରିବା ପ୍ରତିବାଦରେ ସାମାଜିକ କର୍ମୀ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ମାନ୍ୟବର କୋର୍ଟ ହେନ୍ତାଳବଣ ଧ୍ବଂସ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ନଜିର ରହିଛି। ହେଲେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବାରୁ ହେନ୍ତାଳ ଗଛ କାଟି ବେଶ ଖୁସିରେ ଅସାଧୁ ଅପରପକ୍ଷରେ ହେନ୍ତାଳ ଜଙ୍ଗଲର କ୍ଷତି ଯୋଗୁ ରାଜନଗର ସାତଭାୟାବାସୀ ବର୍ତ୍ତମାନ ବିସ୍ଥାପିତ।ଜଳବାୟୁର ପରିବର୍ତ୍ତନ ସାଙ୍ଗକୁ ସମୁଦ୍ର ଜୁଆର ମାଡି ଆସୁଥିବା ବେଳେ ଏହି ହେନ୍ତାଳବଣ ପାଚେରୀ ହୋଇ ଛିଡା ହେଉଥିଲା।କିନ୍ତୁ ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ବହୀନତା ପାଇଁ ଏହି ଲୁଣା ଜଙ୍ଗଲର ଅବକ୍ଷୟ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସାତଭାୟା ବାସିନ୍ଦା।
ଅନ୍ୟପଟେ ସାତଭାୟାରେ ବସବାସ କରୁଥିବା ପରିବାର ମାନଙ୍କ ମଧ୍ୟରେ ସମସ୍ତଙ୍କୁ ବିସ୍ଥାପନ କେନ୍ଦ୍ର ବଗପାଟିଆରେ ଘର ଯୋଗାଇ ଦିଆଯାଇନାହିଁ । ଏବେ ମଧ୍ୟ ୭୦ରୁ ଉର୍ଦ୍ଧ୍ବ ପରିବାର ଜୀବନକୁ ପାଣି ଛଡାଇ ସେଠାରେ ପଡି ରହିଛନ୍ତି। ସେଠାରେ ଜଙ୍ଗଲରୁ ମହୁ ସଂଗ୍ରହ କରି,ସମୂଦ୍ରରୁ ମାଛ କଙ୍କଡା ଧରି ପରିବାର ଚଳାଉଥିବା ଘର ମୁଖିଆ ଏବେ ସମୁଦ୍ର ଆଁ ଆଗରେ ଭୟଗ୍ରସ୍ତ ହୋଇ ଛିଡା ହୋଇଛି। ଭିଟାମାଟି ଛାଡି ବଗପାଟିଆରେ ମୁଣ୍ଡ ଗୁଞ୍ଜିଥିବା ପରିବାର ଦୁର୍ଦ୍ଦଶା କହିଲେ ନସରେ।ସରକାର ଆବାସ ଦେଇଛନ୍ତି ସତ କିନ୍ତୁ ଖାଇବାକୁ ଦେବାର କ୍ଷମତା ସରକାରଙ୍କ ପାଖରେ ନଥିବା ଭଳି ମନେହୁଏ। ଜମିବାଡ଼ି ନଥିବାରୁ ଓ ସମୁଦ୍ରର ୨୨କିଲୋମିଟର ଦୂରରେ ଅବସ୍ଥିତି ଯୋଗୁ ଏମାନେ ନା ଜଙ୍ଗଲରୁ ମହୁ ମାରିପାରୁଛନ୍ତି ନା ମାଛକଙ୍କଡ଼ା ଧରି ପରିବାର ଚଳାଇ ପାରୁଛନ୍ତି।କେବଳ କର୍ମକୁ ଆଦରି ପଡିରହିବା ସହ ଯୁବକ ମଧ୍ୟବୟସ୍କ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଦେଖାଯାଉଛି।କେବଳ ସେତିକି ନୁହେଁ ସାତଭାୟାର ପରିଚୟ ମା'ପଞ୍ଚୁବରାହୀଙ୍କୁ ମଧ୍ୟ ବିସ୍ଥାପନ ହେବାକୁ ପଡିଛି ସମୁଦ୍ରର କରାଳ ରୂପ ଆଗରେ।
ଲୁଣାଜଙ୍ଗଲ ବା ହେନ୍ତାଳ ବଣ ମୁଖ୍ୟତଃ ମିଠା ଜଳ ଓ ସମୁଦ୍ର ଜଳ ମିଶି କ୍ଷାର ଜଳ ହେଲେ ସୃଷ୍ଟି ହୋଇଥାଏ।କେବଳ ମିଠା ଜଳ କିମ୍ବା କେବଳ ଲୁଣି ଜଳ ହେଲେ ଏହି ଜଙ୍ଗଲ ସୃଷ୍ଟି ହୋଇପାରିବ ନାହିଁ।ବିଭାଗ ଦୃଷ୍ଟିରୁ ହେନ୍ତାଳ ବନ ତିନିପ୍ରକାର ଯଥା ଯାହାକି ଅତି ଲବଣାକ୍ତ,ମଧ୍ୟମ ଲବଣାକ୍ତ ଓ କମ ଲବଣାକ୍ତ।କମ ଲବଣାକ୍ତ ଅଞ୍ଚଳର ହେନ୍ତାଳ ଗଛ ସମୁଦ୍ର ଆଡକୁ ଲମ୍ବି ଯାଇଥାଏ କିନ୍ତୁ ସ୍ଥାନର ଅଭାବ ଓ ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ନମିଳିବାରୁ ଲୁଣା ଜଙ୍ଗଲ ସୃଷ୍ଟି ହୋଇପାରୁନଥିବା କହିଛନ୍ତି ପରିବେଶବିତ।ନଦୀର ଉପରମୁଣ୍ଡରେ କାରଖାନା ଓ ଶିଳ୍ପ ସଂସ୍ଥା ପାଇଁ ପାଣି ସଞ୍ଚୟ କରିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା କହିଛନ୍ତି ପରିବେଶବିତ।ସେହିପରି ଭିତରକନିକା ଜାତୀୟ ଉଦ୍ୟାନ 145 ବର୍ଗ କିଲୋମିଟର ହୋଇଥିବା ବେଳେ ଏଠାରେ ଯେଉଁଭଳି ଭାବରେ ଲୁଣା ଜଙ୍ଗଲ ସୃଷ୍ଟି ହେବା କଥା ତାହା ହୋଇପାରୁନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି।
ଅପରପକ୍ଷରେ ଜିଲ୍ଲାର ରାଜନଗର ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ହେନ୍ତାଳବଣ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଛି।ଏଥିସହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଉପକୂଳବର୍ତ୍ତୀ ପଞ୍ଚାୟତ ମାନଙ୍କରେ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ରାଜନଗର ବିଧାୟକ।ଏଭଳି ସମୟରେ ଚଳଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ 'କାଲିର ଅତୀତ'ଚଳଚ୍ଚିତ୍ର ଏବେ IFFI ରେ ମନୋନୀତ ହୋଇଥିବାରୁ ଜଳବାୟୁ ପରିବର୍ତ୍ତନ ନେଇ ଏଥର ସାରା ବିଶ୍ୱ ସାତଭାୟାର ଦୁଃଖକୁ ଦେଖିବ ଓ ପରବର୍ତ୍ତୀ ପିଢ଼ି ପାଇଁ ଚେତାବନୀ ଦେବ ବୋଲି ଆଶା କରିଛନ୍ତି ଲୋକେ।ଏହି ଚଳଚିତ୍ରଟି ଭବିଷ୍ୟଦ୍ରଷ୍ଟା ଅଚ୍ୟୁତାନନ୍ଦ ଦାସଙ୍କ ଭବିଷ୍ୟବାଣୀ ଉପରେ ପର୍ଯ୍ୟବେସିତ ବୋଲି ମଧ୍ୟ ମତପ୍ରକାଶ ପାଇଛି। ବେଳ ଥାଉ ଥାଉ ମାନବ ସମାଜ ଲୁଣା ଜଙ୍ଗଲ ଓ ହେନ୍ତାଳବଣର ସୁରକ୍ଷା ନକଲେ ଦିନେ ନା ଦିନେ କେନ୍ଦ୍ରାପଡ଼ା ବାସିନ୍ଦା ସାତଭାୟା ବିସ୍ଥାପିତଙ୍କ ଭଳି ସମସ୍ୟାର ସମ୍ମୁଖିନ ହେବେ ବୋଲି ପିରବେଶବିତ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ