କେନ୍ଦ୍ରାପଡା: ପଚ ପଚ କାଦୁଅ ଭିତରେ ରାସ୍ତାରେ ତଳି ରୋଇଲେ ଗାଁ ଲୋକେ । ମଙ୍ଗଳବାର କେନ୍ଦ୍ରାପଡା ବ୍ଲକ ବାରୁଅ ପଞ୍ଚାୟତର କଳାମାଟିଆ ଗାଁରେ ଦେଖିବାକୁ ମିଳିଛି କିଛି ଏଭଳି ଦୟନୀୟ ଦୃଶ୍ୟ ।
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୭ କିଲୋମିଟର ଦୂରତା ରେ ରହିଛି କଳାମାଟିଆ ଗାଁ । ଗାଁରେ ୮୦ ପରିବାରର ପ୍ରାୟ ୫ ଶହରୁ ଅଧିକ ଲୋକେ ବସବାସ କରନ୍ତି । ହେଲେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଗାଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ନିଜ ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଏମାନେ । କିନ୍ତୁ ପ୍ରତିଥର ମିଳିଛି ପ୍ରତିଶ୍ରୁତି ଓ ପ୍ରତାରଣା ।
ମୁଖ୍ୟ ରାସ୍ତାରୁ ଗାଁ ମଧ୍ୟ କୁ ପ୍ରବେଶ ପାଇଁ ୧ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ । ଗାଁ ଭିତର ରାସ୍ତାର ଚିତ୍ର ତ ପୂରା ତଦ୍ରୁପ । ସମଗ୍ର ରାସ୍ତା ର ପ୍ରାୟ ୬୦ ଭାଗ ଏବେ ବି କଚ୍ଚା ରହିଛି । ବର୍ଷ ବର୍ଷ ଧରି ଏଠାରେ ଗୋଡି ମୁଠାଏ ବି ପକାଇନି ସମ୍ପୃକ୍ତ ବିଭାଗ । ରାସ୍ତା ନ ଥିବା ହେତୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ । ସାମାନ୍ୟ ବର୍ଷା ହେଲେ ସ୍କୁଲ,କଲେଜ ଯାଉଥିବା ପିଲା,ବୃଦ୍ଧ ଓ ରୋଗୀମାନଙ୍କ ଅବସ୍ଥା ନ କହିଲେ ଭଲ । କଳାମାଟିଆ ଗାଁ କୁ ଗାଡି ମଟର ଯିବା ଦୂରର କଥା ପଥଚାରୀ ବି ନାକେଦମ ।
ତେବେ ବର୍ଷା ପରେ ବିଭାଗୀୟ ଯନ୍ତ୍ରୀ ଯଦି ବଦଳି ଯାଇଥିବେ ତେବେ ପୁଣି ଥରେ ପଥର ତଳେ କଳାମାଟିଆ ଗାଁର ଭାଗ୍ୟ ଚାପି ଯିବା ସମ୍ଭାବନା ଅଧିକା। ସେପଟେ କିଛି ପରିମାଣର ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟର ତଦାରଖ କରୁଥିବା ଅଧିକାରୀ ବି ଭବିଷ୍ୟତକୁ ନେଇ ସନ୍ଦେହରେ । ଏପଟେ ଗାଁକୁ ରାସ୍ତା ହେବ ଓ କଳାମାଟିଆବାସୀଙ୍କ ଦୁଃଖ ଦୂର ହେବ ବୋଲି ପୁଣି ପ୍ରତିଶ୍ରୃତି ଦେଇଛନ୍ତି ଜିଲ୍ଲା ବିଡ଼ିଓ ସୁଧୀର ସିଂହ ।
ତେବେ କେତେ ଶୀଘ୍ର ବିଡିଓ ପ୍ରତିଶ୍ରୁତି ପୂରଣ କରିବେ । ଆଉ କଳାମାଟିଆର କଳାଦିନ ଦୂର ହେବ ଏବଂ ତାହା ସମୟ କହିବ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ