କେନ୍ଦ୍ରାପଡା: କେନ୍ଦ୍ରାପଡା କିନ୍ନର ସଂଘ ସଭାନେତ୍ରୀ ଦେବୀକା ବାରିକଙ୍କୁ ହୋଇଥିବା ଆକ୍ରମଣର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ଏସପି ଅଫିସ ଘେରାଉ କରିଥିଲେ ଶହଶହ କିନ୍ନର । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ 500ରୁ ଉର୍ଦ୍ଧ୍ବ କିନ୍ନର ଆସି ଦେବୀକାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ଏହାର ସମାଧାନ ପାଇଁ ତଥା ଆଗାମୀ ଦିନରେ ଏଘଟଣାର ପୁନରାବୃତ୍ତି ନହେବା ପାଇଁ ଜିଲ୍ଲା ଏସପିଙ୍କୁ ଦାବିପତ୍ର ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ 10 ତାରିଖ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହର କଜଳା ନିକଟସ୍ଥ ଏକ ସରକାରୀ ଜାଗାରେ ଘର ତିଆରି କରିବା ନେଇ ଦେବୀକାଙ୍କୁ ପ୍ରଥମେ 50 ହଜାର ଟଙ୍କା ମାଗି ଓ ପରେ ମଦ ପିଇବା ପାଇଁ ଟଙ୍କା ମାଗି ବିଫଳ ହେବା ପରେ ଦେବୀକାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ସ୍ଥାନୀୟ ବସ୍ତିର କିଛି ଦୁର୍ବୃତ୍ତ । ଫଳରେ ଦେବୀକା ଆଇନର ଆଶ୍ରୟ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କେବଳ ନାମକୁ ମାତ୍ର କିଛି ଜଣଙ୍କୁ ଗିରଫ କରି ଚୁପ ହୋଇ ବସିଯାଇଥିବା ଅଭିଯୋଗ କରିଛନ୍ତି କିନ୍ନର ।
ଅନ୍ୟପଟେ ଅନ୍ୟ ଅଭିଯୁକ୍ତ ଖୁଲାମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ଗିରଫ କରାନଯିବାରୁ ଅଭିଯୁକ୍ତ ମାନେ ଦେବୀକା ଏବଂ ଅନ୍ୟ କିନ୍ନରଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଧମକଚମକ ଦେଉଛନ୍ତି । ତେଣୁ, ଭବିଷ୍ୟତରେ ଏପରି ଆକ୍ରମଣ ନହେବା ସହ ପୋଲିସ ସୁରକ୍ଷା ଯୋଗାଇ ଦେବା ତଥା କିନ୍ନର ମାନଙ୍କୁ ରହିବା ପାଇଁ ଜାଗା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଜି ବିଭିନ୍ନ ଜିଲ୍ଲାରୁ 500ରୁ ଉର୍ଦ୍ଧ୍ବ କିନ୍ନର କେନ୍ଦ୍ରାପଡାରେ ପହଞ୍ଚି ଏସପିଙ୍କୁ ଦାବିପତ୍ର ଦେଇଛନ୍ତି । ଏଥିସହ ଘଟଣାର ସମାଧାନ ନହେଲେ, ଆଗାମୀ ଦିନରେ 500 ବଦଳରେ 5000 କିନ୍ନର ଆସି ଏହାର ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ