କେନ୍ଦ୍ରାପଡା: ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦୀ ସଂଗଠନ ତରଫରୁ ଚିକେନ ବିରିୟାନୀ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବା କାର୍ଯ୍ୟକ୍ରମ କରାଯାଇଥିଲା । ଏହାସହ ଓଡ଼ିଆ ଜାତି ଅସ୍ମିତାର ପ୍ରତୀକ ତଥା ସାଢେ ଚାରିକୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଶ୍ରୀରାମଙ୍କ ସାନୁଜ ଲକ୍ଷ୍ମଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରାଯାଇଥିଲେ । ଏହାକୁ ନେଇ ରାଜକନିକା ଶାଖା ହିନ୍ଦୁ ଧର୍ମରକ୍ଷା ସେନା ପକ୍ଷରୁ ରାଜକନିକା ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି । ତୁରନ୍ତ ହେତୁବାଦୀଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ଦିଆଯାଇଛି ।
ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀମାନଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯିବା ସହ ଗିରଫ ଦାରି ପ୍ରତିବାଦ କରାଯାଉଛି । ଗତକାଲି ରାଜକନିକା ଶାଖା ହିନ୍ଦୁ ଧର୍ମରକ୍ଷା ସେନା ପକ୍ଷରୁ ମଧ୍ୟ ଗିରଫଦାରି ଦାବି କରାଯାଇଛି । ସର୍ବ ପୁରାତନ ସନାତନ ଧର୍ମ ସର୍ବଶ୍ରେଷ୍ଠ ଧର୍ମ ହୋଇଥିବା ବେଳେ ତାହାକୁ ଅବମାନନା କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବନାହିଁ ଓ ଓଡିଶାର ୩୦ ଜିଲ୍ଲା ସମେତ ତିନିଶହ ଚଉଦ ବ୍ଲକରେ ଧର୍ମରକ୍ଷା ସେନା ଏହାକୁ କଡା ବିରୋଧ କରିବ ବୋଲି ରାଜକନିକା ଧର୍ମରକ୍ଷା ସେନାର ସଂଯୋଜକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ବିଧାନସଭା ନିର୍ବାଚନ: ଘରେ ଭୋଟ ଦେବେ ପାଖାପାଖି ୫ ଲକ୍ଷ ଦିବ୍ୟାଙ୍ଗ ଭୋଟର
ସେହିପରି ହେତୁବାଦୀ ଗୋଷ୍ଠୀ ସନାତନୀ ଆରାଧ୍ୟଙ୍କୁ ଅପମାନିତ କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ ଭବିଷ୍ୟତରେ ଏଥିରୁ ନିବୃତ୍ତ ନରହିଲେ ପରିସ୍ଥିତି ଅଣାୟତ ହେବ ବୋଲି ଚେତାବନୀ ଦେଇଛନ୍ତି ଧର୍ମରକ୍ଷା ସେନାର ସଦସ୍ୟଗଣ । ଆଇଆଇସିଙ୍କ ଅନୁପସ୍ଥିତିରେ ଧର୍ମସେନା ପକ୍ଷରୁ ସବ ଇନ୍ସପେକ୍ଟରଙ୍କୁ ଏହି ଦାବିପତ୍ର ଦିଆଯାଇଥିବା ବେଳେ ସଂଖ୍ୟାଧିକ ସଦସ୍ୟ ହେତୁବାଦୀଙ୍କ ବିରୋଧରେ ନାରା ଦେଉଥିବା ଶୁଣିବାକୁ ମିଳିଥିଲା ।
ଏନେଇ ହିନ୍ଦୁ ଧର୍ମରକ୍ଷା ସେନାର ଜଣେ ସଦସ୍ୟ କହିଛନ୍ତି, "ସନାତନ ଧର୍ମକୁ ଯେଉଁଭଳି ଭାବେ କୁଠାରଘାତ କରାଯାଉଛି ତାକୁ ଆମେ ଘୋର ବିରୋଧ କରୁଛୁ । ଆମେ ଏହାକୁ ସହ୍ୟ କରିପାରୁନାହୁଁ । ସନାତନ ଧର୍ମ ଅନୁସାରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ସମୟରେ ରୋଷେଇ କରବା ବାରଣ ଥାଏ । ରନ୍ଧା ଖାଦ୍ୟ ସେବନ କରାଯାଇନଥାଏ । କିନ୍ତୁ ହେତୁବାଦୀମାନେ ଧର୍ମକୁ ଭ୍ରଷ୍ଟ କରିଛନ୍ତି । ହେତୁବାଦୀମାନଙ୍କ ଏହି ଚିନ୍ତାଧାରା ଅତ୍ୟନ୍ତ ଘୃଣ୍ୟ ଅଟେ । ହେତୁବାଦୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଦାବି କରୁଛୁ ।"
ଇଟିଭି ଭାରତ, କେନ୍ଦ୍ରାପଡା