କେନ୍ଦ୍ରାପଡା: ୭ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡା ସଦର ଥାନା ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୬ ଜଣ ନାବାଳକ ମିଶି ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗ ଆଧାରରେ ୬ ଜଣ ନାବାଳକଙ୍କ ଅଟକ ରଖି ଘଟଣାରେ ତଦନ୍ତ ଆରମ୍ଭ କରିଛି । ସମସ୍ତ ଅଭିଯୁକ୍ତ ବୟସ ୧୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି ।
ଅଭିଯୋଗ ଅନୁଯାୟୀ, ଦୁଇଦିନ ତଳେ ନାବାଳକମାନେ ନାବାଳିକାଙ୍କୁ ଚକଲେଟ ଦେବା ବାହାନାରେ ଏକ ପରିତ୍ୟକ୍ତ ଘରକୁ ନେଇ ସେଠାରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଏହାପରେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ କାହାକୁ କିଛି କହିଲେ ଜୀବନରୁ ମାରିଦେବାକୁ ନାବାଳିକାଙ୍କୁ ଧମକ ଦେଇଥିଲେ । ନାବାଳିକା ଜଣକ ଭୟରେ କିଛି କହିନଥିଲେ ହେଁ ଗୁରୁତର ଅସୁସ୍ଥ ହୋଇ ପଡିିବାରୁ ପରିବାର ଲୋକେ ସନ୍ଦେହ କରିଥିଲେ ।
ପଚରାଉଚୁରା ପରେ ପରିବାର ଲୋକେ ଝିଅ ସହ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ ଏନେଇ ଗାଁ ମୁଖିଆମାନଙ୍କୁ ଜଣାଇଥିଲେ । ମାତ୍ର ଏହାର ସମାଧାନ ହୋଇ ନ ହେବାରୁ ଏନେଇ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୋଲିସ ପୋକ୍ସୋ ଆକ୍ଟ ସହ ୩୦୪/୨୦୨୨ରେ ଏକ ମାମଲା ଦାୟର କରି ଘଟଣାର ତଦନ୍ତ ଚଳାଇଛି । ଯାହା ସୂଚନା ମିଳିଛି, ପୋଲିସ ଉକ୍ତ ନାବାଳକମାନଙ୍କୁ ଆଣି ସ୍ବଧାର ଗୃହରେ ପଠାଇଛି । ସେହିପରି ପୀଡିତାଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ସ୍ବଧାର ଗୃହରେ ରଖିଛି । ପୋଲିସ ଆଜି(ମଙ୍ଗଳବାର) ଅଭିଯୁକ୍ତ ଓ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ତେବେ ମହିଳା ଡାକ୍ତର ଛୁଟିରେ ଥିବା ଯୋଗୁଁ ପୀଡିତାଙ୍କ ଡାକ୍ତରୀ ମାଇନା ହୋଇ ପାରିନାହିଁ । ବୁଧବାର ଦିନ ନାବାଳିକାର ଡାକ୍ତରୀ ମାଇନା ହେବ ବୋଲି ଜଣାପଡିଛି ।
ଇଟିଭି ଭାରତ, କେନ୍ଦ୍ରାପଡା