କେନ୍ଦ୍ରାପଡା: ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ମା' ଧନଧାତ୍ରୀଙ୍କ ପୂଜା । କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାରେ ଚମକୁଛି ଚାନ୍ଦିମେଢ । ଜିଲ୍ଲାରେ ଗଜଲକ୍ଷ୍ମୀ ପୂଜାକୁ ଏକ ଗଣପର୍ବ ଭାବେ ପାଳନ କରାଯାଏ । ତେବେ ଚଳିତ ବର୍ଷ ମା'ଙ୍କ ଚାନ୍ଦି ମେଢରେ ଝଲସୁଛି ମଣ୍ଡପ । ସହରର ପାଖାପାଖି ୧୦ଟି ମେଢ଼ରେ ଚାନ୍ଦି ଲାଗିଥିବା ବେଳେ ଖଡ଼ିଅଙ୍ଗ ପୂଜା କମିଟି ପ୍ରଥମେ ଚନ୍ଦି ମେଢ ଆରମ୍ଭ କରିଥିଲେ ।
ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀ ଦର୍ଶନ କରିବା ସହ ଚାନ୍ଦିର ତାରକସି କାରୁକାର୍ଯ୍ୟ ଦେଖି ବିମୋହିତ ହେଉଛନ୍ତି ଦର୍ଶକ । ସହରର ୪ ଗୋଟି ପ୍ରମୁଖ ପୂଜା ଅନୁଷ୍ଠାନ ପକ୍ଷରୁ ସମ୍ପୂର୍ଣ୍ଣ ଚାନ୍ଦିମେଢ ପ୍ରସ୍ତୁତ କରାଯାଇଛି । ସଂଧ୍ୟା ହେଲେ ସବୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ତେବେ ପ୍ରତି ମେଢ ନିର୍ମାଣରେ ବ୍ୟବହାର ହୋଇଛି ଦେଢ କ୍ୱିଣ୍ଟାଲରୁ ଅଧିକ ରୂପା । ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ଶୋଭା ପାଉଛି ଭଳିକି ଭଳି ତାରକସୀ କାରୁକାର୍ଯ୍ୟରେ ସଜିତ ଚାନ୍ଦିମେଢ । ଏହା କଟକର ତାରକସି କାରିଗରଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।
ସହରର ଖଡିଅଙ୍ଗ ପୂଜା ମଣ୍ଡପରେ ପ୍ରାୟ ୧ କ୍ୱିଣ୍ଟାଲରେ ନିର୍ମିତ ଚାନ୍ଦିମେଢ ଶୋଭା ପାଉଛି । କାକଟ ମଙ୍ଗଳା ପୂଜା ମଣ୍ଡପ,ଶ୍ରୀ ଗଙ୍ଗା ଭାଗିରଥୀ ପୂଜା କମିଟି ଓ ବିମ୍ବଳାଇ ପୂଜା ମଣ୍ଡପରେ ଶୋଭା ପାଉଛି ଆକର୍ଷଣୀୟ ଚାନ୍ଦିମେଢ । ମା'ଙ୍କ ଗହଣା ଭାବେ ବ୍ୟବହୃତ ମୟୂର, ପ୍ରଜାପତି,ମୁକୁଟ, ହାର, ଚୁଡି, ନୋଥ, କଠୋଉ ପ୍ରଭୃତି ଚାନ୍ଦିରେ ପ୍ରସ୍ତୁତ ହୋଇଛି । ସହରର ଅନ୍ୟତମ ପୁରାତନ ପୂଜା ଅନୁଷ୍ଠାନ କାକଟ ମଙ୍ଗଳା ମେଢ଼ରେ ୧ କ୍ୱିଣ୍ଟାଲ ୪୭ କିଲୋଗ୍ରାମ୍ ଚାନ୍ଦି ବ୍ୟବହାର ହୋଇଥିବା ବେଳେ ନିର୍ମାଣରେ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।
ଏହା ମଧ୍ୟ ପଢନ୍ତୁ....ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଦିବସ, ବଢ଼ୁଛନ୍ତି ଦର୍ଶକ
ବିମ୍ବଳାଇ ପୂଜା କମିଟିର ଚାନ୍ଦିମେଢରେ ମଧ୍ୟ ୧ କ୍ୱିଣ୍ଟାଲ ୧୦ କିଲୋ ଚାନ୍ଦି ବ୍ୟବହାର କରାଯାଇଛି। ଏହାର ନିର୍ମାଣ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆୟୋଜକମାନେ କହିଛନ୍ତି । ଶ୍ରୀ ଗଙ୍ଗା ଭାଗିରଥୀ ପୂଜା ମଣ୍ଡପରେ ୨ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦିର ମେଢ଼ ତିଆରି ହୋଇଥିବା ବେଳେ ମା’ଙ୍କ ପାଇଁ 7ଶହ ଗ୍ରାମର ସୁନା ମୁକୁଟ ମଧ୍ୟ ନିର୍ମାଣ ହୋଇଛି ।
ଚାନ୍ଦି ମେଢକୁ ଦେଖିବା ପାଇଁ ଲୋକଙ୍କ ଭିତ ଅଧିକ ହେଉଛି । ଏହାର ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚାନ୍ଦି ମେଢ଼ର ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯାଇଛି । ମଣ୍ଡପ ଗୁଡିକରେ ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଇଟିଭି ଭାରତ,କେନ୍ଦ୍ରାପଡା