କେନ୍ଦ୍ରାପଡା: ମୁହାଁମୁହିଁ ହେଲେ ପୂର୍ବତନ ସାମରିକ କର୍ମଚାରୀଙ୍କ ସହ ମହିଳା କନେଷ୍ଟବଳ । ଉଭୟଙ୍କ ମଧ୍ୟରେ ସାମାନ୍ୟ କଥାକଟାକଟି ନେଲା ଉଗ୍ର ରୂପ । ଘଟଣା ଏମିତି ହେଲା ଯେ, ଶେଷରେ ବନ୍ଧା ହେଲେ ପୂର୍ବତନ ସାମରିକ କର୍ମଚାରୀ ମନୋରଞ୍ଜନ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ ତିନିମୁହାଣୀ ଛକରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବୁଧବାର ସଂନ୍ଧ୍ୟାରେ ତିନିମୁହାଣୀ ଛକ ନିକଟରେ ମାସ୍କ ଓ ହେଲମେଟ ଚେକିଂ ଚାଲିଥିଲା । ଏ ସମୟରେ ଗରାପୁର ଗାଁର ମନୋରଞ୍ଜନ ରାଉତ ନାମକ ଜଣେ ପୂର୍ବତନ ସାମରିକ କର୍ମଚାରୀଙ୍କ ଗାଡି ଅଟକାଇ ଥିଲା ପୋଲିସ । ଫାଇନ କାଟିବା ବଦଳରେ ତାଙ୍କ ଗାଡି ଚାବି ନେଇ ଯାଇଥିଲେ । ଫଳରେ ମନୋରଞ୍ଜନ ଓ ମହିଳା କନେଷ୍ଟବଳଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ମାଡଗୋଳ ପର୍ଯ୍ୟନ୍ତ କଥା ଯାଇଥିଲା।
ଡ୍ୟୁଟିରେ ଥିବା ମହିଳା କନେଷ୍ଟବଳ ଓ ମହିଳା ଏଏସଆଇଙ୍କୁ ଦୁର୍ବ୍ୟବହାର ଏବଂ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାମରିକ କର୍ମଚାରୀ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଟାଉନ ପୋଲିସ ଅଭିଯୁକ୍ତ ମନୋରଞ୍ଜନକୁ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରିଛି ପୋଲିସ । ମାମଲାକୁ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ତଦନ୍ତ କରି ଅଭିଯୁକ୍ତ ମନୋରଞ୍ଜନକୁ ମେଡିକାଲ ଟେଷ୍ଟ ପାଇଁ ପଠାଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ