କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ ଏସଡିପିଓଙ୍କ ନାମରେ ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଦଳିତ ମାନଙ୍କୁ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ରାଷ୍ଟ୍ରୀୟ ଦଳିତ ମହାସଭା । ଗତ କିଛି ଦିନ ତଳେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜନୈକ ଦଳିତ ମହିଳାଙ୍କ ଘରେ ତିନିଜଣ ଯୁବକ ପଶି ମାଡ ମାରିବା ସହ ଅସଦାଚରଣ କରିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା । ମାତ୍ର ଥାନାଧିକାରୀ ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ଅଭିଯୋଗକାରିଣୀଙ୍କୁ ନ୍ୟାୟ ପ୍ରଦାନ କରିବାରେ ସହଯୋଗ କରି ନଥିଲେ ।
ଏନେଇ ଅଭିଯୋଗକାରିଣୀ ପଟ୍ଟାମୁଣ୍ଡାଇ ଏସଡିପିଓ ଓ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୌଣସି ସୁଫଳ ମିଳିଲା ନାହିଁ । ଏସମ୍ପର୍କରେ ଦଳିତ ପୀଡିତା ମହିଳା ରାଷ୍ଟ୍ରୀୟ ଦଳିତ ମହାସଭାକୁ ଜଣାଇବା ପରେ ପୀଡିତା ମହିଳା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଦଳିତ ମହାସଭା ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାରେ ଦଳିତମାନଙ୍କ ପ୍ରତି ପୋଲିସ ପ୍ରଶାସନ ଅନ୍ୟାୟ ସହ ଅବହେଳା କରିବା ବିଭିନ୍ନ ଜ୍ଵଳନ୍ତ ଉଦାହରଣ ରହିଥିବା ଅଭିଯୋଗ କରିଛି ଦଳିତ ମହାସଭା । ତେବେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦଳିତ ପୀଡିତା ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବା ସହ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି କହିଛି ଦଳିତ ମହାସଭା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ