କେନ୍ଦ୍ରାପଡ଼ା: ବନ୍ୟା ବିଭୀଷିକାରେ ବେହାଲ ହୋଇ ପଡି଼ଛି କେନ୍ଦ୍ରାପଡ଼ା ଜିଲ୍ଲା(flood situation in kendrapara ) । ବନ୍ୟାଜଳ ପଶିବାରୁ ମାର୍ଶାଘାଇ ବ୍ଲକ୍ ଆଇତିପୁର ପଞ୍ଚାୟତର(flood situation in aitipur) ଜୟଚଣ୍ଡୀ ବନ୍ଧରେ ୬୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ଅଞ୍ଚଳରେ ଥିବା ୩ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ସାମାନ୍ୟ ବର୍ଷାରେ ଏଠାରେ ଆଣ୍ଠୁଏ ଉଚ୍ଚର ପାଣି ଛିଡା ହେଉଛି ।
ଜୀବନ ବଞ୍ଚାଇବାକୁ ଲୋକେ ଉଚ୍ଚ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି । ବନ୍ୟାଜଳ ପରିବା ଜମି ଉପରେ ମାଡ଼ି ଯାଇଛି । ଚାଷୀଙ୍କ ବର୍ଷକର ପରିଶ୍ରମ ପାଣିରେ ବୁଡ଼ିଛି । ମହାନଦୀ ସିଷ୍ଟମ ଅଧୀନରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ଚିତ୍ରୋତ୍ପଳା, ଲୁଣା, କରାଣ୍ଡିଆ, ପାଇକା ଆଦି ନଦୀର ବନ୍ୟାଜଳ ଆସି ଗାଁଗଣ୍ଡା ଗୁଡ଼ିକରେ ପ୍ରବାହିତ ହେଉଛି । ଆଇତିପୁର,ବଳରାମପୁର ଓ ବାଳିସିଂ ଗାଁର ପ୍ରାୟ ୪୫୦୦ ଲୋକ ଏବେ ପାଣି ଘେରରେ ରହିଛନ୍ତି ।
ପ୍ରତିବର୍ଷ ବନ୍ୟାରେ ଦ୍ବୀପାଞ୍ଚଳ ଆଇତିପୁର ପଞ୍ଚାୟତ ପ୍ରଭାବିତ ହେଉଛି । ବନ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭଯୋଗ ହୋଇଛି । ଏଠାରେ ଏକ ନଦୀବନ୍ଧର ଆବଶ୍ୟକତା ରହିଛି । ହେଲେ ଏଥିପ୍ରତି ଧ୍ୟାନ ଦେଉନି ପ୍ରଶାସନ । ବନ୍ୟା ଯୋଗୁଁ ଧାନ ତଳି ଭାସି ଯାଇଥିବା ବେଳେ ପରିବା ଚାଷ ନଷ୍ଟ ହୋଇଛି । ସେପଟେ ବନ୍ୟାଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା