କେନ୍ଦ୍ରାପଡ଼ା: ବନ୍ୟା କମିଛି, ହେଲେ ଦୁଃଖ କମିନି । କେତେକ ଗ୍ରାମରୁ ପାଣି ଛାଡ଼ିଛି ତ ପୁଣି କେତେକରେ ଏବେବି ଜଳବନ୍ଦୀ ସମସ୍ୟା (water logging in kendrapara) ରହିଛି । ସରକାରୀ ସହାୟତାକୁ ଅପେକ୍ଷା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ମହାନଦୀରେ ବନ୍ୟା ଜଳ ବଢିବାରୁ (flood situation in kendrapara) ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ଆଖଡାଶାଳୀ ବାଟ ଦେଇ ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ପଲ୍ଲୀଗଡ଼,କେନ୍ତିଆ,କୋଚିଳା,ସରୁମୁହିଁ,ଆରୋହୀ ଆଦି ଗ୍ରାମ ପ୍ରଭାବିତ ହୋଇଛି ।
ବନ୍ୟାକୁ ୫ଦିନ ବିତିଯାଇଥିଲେ ମଧ୍ୟ ଚୁଡା ମୁଠାଏ କେହି ଦେଇନଥିବା ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମରେ ଚାଷ ଜମି ସବୁ ଉଜୁଡି ଯାଇଥିବା ବେଳେ ଲୋକେ ବେକେ ପାଣିରେ ପଶି ପାନୀୟ ଜଳ ସଂଗ୍ରହ କରୁଛନ୍ତି । କିନ୍ତୁ ସେଠାରେ ବନ୍ୟାର ପ୍ରଭାବ କିଛି ନଥିବା ପ୍ରଶାସନକୁ ଦର୍ଶାଯାଇଛି । ଏନେଇ ପୂର୍ବତନ ସରପଞ୍ଚ କହିଛନ୍ତି, "ଆଜି ପର୍ଯ୍ୟନ୍ତ ଗ୍ରାମରୁ ପାଣି ଛାଡ଼ିନାହିଁ । ଲୋକେ ପାନୀୟ ଜଳ ପାଇଁ ୨ କିମି ଆସୁଛନ୍ତି । ଗାଈଗୋରୁଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇନାହିଁ ।" ସରକାରଙ୍କ ପକ୍ଷରୁ ସମୂର୍ଣ୍ଣ ଅବହେଳା କରାଯାଇଥିବା ସେ କହିଛନ୍ତି । ଅନ୍ୟପଟେ ଚଳିତ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକର ଆଇତିପୁରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ସରକାରୀ ରିଲିଫ ସାମଗ୍ରୀ ଯୋଗାଣକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଥାନାକୁ ଯିବା ଘଟଣା ଏବେ ପ୍ରଶାସନିକ ବିପର୍ଯ୍ୟୟ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଥାଉକି, କେନ୍ଦ୍ରାପଡା ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଜଳବନ୍ଦୀଙ୍କ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଯେଉଁସବୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ସେଥିମଧ୍ୟରୁ ଅଧିକାଂଶ ସ୍ଥାନଗୁଡ଼ିକ ଏବେ ବି ଜଳଘେରରେ ରହିଛି । ବଡକଥା ହେଉଛି ନା ସେମାନଙ୍କ ପାଖକୁ କେହି ଯାଇ ପାରୁଛନ୍ତି ନା ସେମାନେ କାହାରି ପାଖକୁ ଯାଇ ପାରୁଛନ୍ତି । ଅନ୍ଧକାରରେ ସାପ, ବେଙ୍ଗ ଭୟରେ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ବନ୍ୟା ପ୍ଲାବିତ ଅଞ୍ଚଳ ଲୋକେ । ଏପରିକି ଅନେକ ସ୍ଥାନରେ ପାନୀୟ ଜଳ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ (BJP leader visits flood affeted area in Kendrapara)। ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମନମୋହନ ସାମଲ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଜଳବନ୍ଦୀ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରାଜ୍ୟରେ ଦୁର୍ବଳ ନଦୀବନ୍ଧ ନିର୍ମାଣ ଯୋଗୁଁ ବନ୍ୟାସ୍ଥିତି ଉତ୍ପନ୍ନ ହୋଇଥିବା କଥା କହିଛନ୍ତି ମନମୋହନ ସାମଲ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା