କେନ୍ଦ୍ରାପଡା: ଜିଲ୍ଲା ମାର୍ଶାଘାଇ ଥାନା ରେଲୱେ ଓଭର ବ୍ରିଜ ନିକଟରେ ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠୁ ଲୁଟ ଘଟଣା । ଲୁଟରେ ସମ୍ପୃକ୍ତ 5 ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଏନେଇ ମଙ୍ଗଳବାର କେନ୍ଦ୍ରାପଡା ଏସପି ଏମ୍. ସନ୍ଦିପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବେଲାରନୂଆଗାଁ ଗ୍ରାମର ରାଜକିଶୋର ଜେନା, ନରେଶ ଜେନା, ସୁରେଶ ଜେନା, ଉମାକାନ୍ତ ଜେନା ଏବଂ ପାରାଦ୍ବୀପ ଲକଥାନା ବିଶ୍ବାଳି ଗ୍ରାମର ଚିନ୍ମୟ ତରାଇ । ଚିନ୍ମୟ ନାମରେ ବିଞ୍ଝାରପୁର, ପାରାଦ୍ବୀପ ଲକଥାନା ଓ ମାର୍ଶାଘାଇ ଥାନାରେ ୧୩ଟି ମାମଲା ରହିଛି । ତେବେ ଏହି ଘଟଣାରେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତ 1 ତାରିଖ ଦିନ ଅପରାହ୍ନ ପ୍ରାୟ 1ଟା ସମୟରେ ଭାରତ ଫାଇନାନ୍ସରେ କାର୍ଯ୍ୟ କରୁଥିବା ଯାଜପୁର ବିଞ୍ଝାରପୁର ଥାନା ଅଞ୍ଚଳର ବିଶ୍ବଜିତ ବେହୁରିଆ ଟଙ୍କା କଲେକ୍ସନ କରି ଫେରୁଥିଲେ । ଏହି ସମୟରେ ଲୁଟେରାମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ 60 ହଜାର ଟଙ୍କା ସହିତ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ କେନ୍ଦ୍ରାପଡା ଏସପି ଘଟଣାକୁ ଗୁରୁତର ସହ ତଦନ୍ତ କରିଥିଲେ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଶେଷରେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୪ଟି ବାଇକ, ୪ଟି ମୋବାଇଲ ଫୋନ, କିଛି ଫାଇନାନ୍ସ କାଗଜ ପତ୍ର ଓ ୫,୬୦୦ ଟଙ୍କା ଜବତ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପ୍ରେସମିଟରେ ଏସପି ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ