କେନ୍ଦ୍ରାପଡ଼ା: ଧର୍ମରକ୍ଷା ସେନା କେନ୍ଦ୍ରାପଡ଼ା ଆବାହକ ତଥା ତିନିମୁହାଣୀ ବଜାର କମିଟି ସଭାପତି ବିବେକାନନ୍ଦ ମହାରଣାଙ୍କୁ ଗୁଳି ମାରି ହତ୍ୟା ଉଦ୍ୟମ ଘଟଣା । ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି କେନ୍ଦ୍ରାପଡ଼ା ସଦର ପୋଲିସ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ରାମନଗର ପାଟଣା ସ୍ଥିତ ବିବେକାନନ୍ଦ ମହାରଣାଙ୍କ ଟ୍ରାକ୍ଟର ଶୋରୁମରେ ଗତ ୧୪ ତାରିଖ ଦିନ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସର ଯୋଗେ ଆସି ପ୍ରଥମେ ବିବେକାନନ୍ଦ ଓରଫ ବାବୁଲିଙ୍କୁ ଖୋଜିଥିଲେ।
ବାବୁଲିଙ୍କୁ ଗତ ୨୦୧୯ ମସିହାରେ ଗୁଳି କରି ହତ୍ୟା ଉଦ୍ୟମ ପରେ ତାଙ୍କୁ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଥିଲା । ସେହି ପିଏସଓଙ୍କ ସହ ଉକ୍ତ ଦୁଇ ଦୁର୍ବୃତ୍ତଙ୍କ ବଚସା ଓ ମାରପିଟ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଏହାର ଜବାବରେ ସୁରକ୍ଷାକର୍ମୀ ଗୁଳି ଚଳାଇବା ଯୋଗୁଁ ଆହାତ ହୋଇ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। କଟକ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବର ଶାହା କ୍ଲିନିକ ନାମକ ଏକ ଘରୋଇ ହସ୍ପିଟାଲରେ ଦୁଇ ବ୍ୟକ୍ତି ଗୁଳି ବାହାର କରିଥିଲେ।
ତେବେ ଶାହା କ୍ଲିନିକରେ ଚିକିତ୍ସା ହେବା ଖବର ହସ୍ପିଟାଲ କର୍ତ୍ତୃପକ୍ଷ ନିକଟସ୍ଥ ଥାନାରେ ନ ଜଣାଇବା ଘଟଣାରେ ଉକ୍ତ କ୍ଲିନିକକୁ ପୋଲିସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଛି। ଏହି ଗୁଳିକାଣ୍ଡ ଘଟଣାରେ ସଦର ଥାନା କେଶ ନଂ ୩୯୫/୨୧ରେ ମାମଲା ରୁଜୁ କରାଯାଇ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ଟି ଆଣ୍ଡ୍ରଏଡ଼ ମୋବାଇଲ, ଗୋଟିଏ କି ପ୍ୟାଡ଼ ମୋବାଇଲ ସମେତ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
ଅନ୍ୟପଟେ ଅପରାଧରେ ବ୍ୟବହୃତ ଗୋଟିଏ ବୋଲେରୋ, ଗୋଟିଏ ଗାଡି଼ ଓ ଦୁଇଟି ମୋଟରସାଇକେଲ ଜବତ କରାଯାଇ ତଦନ୍ତ ଜାରି ରହିଛି। ତଦନ୍ତରେ ବ୍ୟାଘାତ ସୃଷ୍ଟି ଆଶଙ୍କା କରି ପୋଲିସ ଅଭିଯୁକ୍ତ ମାନଙ୍କ ନାମ ପ୍ରକାଶ କରିନଥିବା ବେଳେ ଏହି ଗୁଳିକାଣ୍ଡ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି। ତେବେ ବାବୁଲି ଗୁଳିକାଣ୍ଡ ଘଟଣାରେ ଦିନକୁଦିନ ପୋଲିସ ଉପରେ ସାଧାରଣ ଲୋକଙ୍କ ଚାପ ବୃଦ୍ଧି ଓ ପୋଲିସ ପ୍ରଶାସନ ବିରୋଧରେ ଜନ ଅସନ୍ତୋଷ କୁହୁଳୁଥିବାରୁ ପୋଲିସ ନିଜ ଚିତ୍ରକୁ ବଞ୍ଚାଇ ରଖିବା ପାଇଁ ମୁହଁ ଖୋଲିଛି । ସେପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ଘଟଣାରେ କିଏ କିଏ ଓ କେତେଜଣ ସମ୍ପୃକ୍ତ ସେନେଇ ଏସପିଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସେ ‘ନୋ କମେଣ୍ଟ୍ସ’ କହି ସମସ୍ତ ପ୍ରଶ୍ନକୁ ଏଡ଼ାଇ ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ