କେନ୍ଦ୍ରାପଡା: ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ରାସ୍ତାକଡରେ ମିକ୍ସଚର ମେସିନ ସାଇଡ କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଯେଉଁଥିରେ 10ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବାବେଳେ ନ୍ୟାୟ ଦାବିରେ ସେମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ 11 ନମ୍ବର ୱାର୍ଡରେ ଶୁକ୍ରବାର ଏକ ପାଚେରୀ କାମ କରାଯାଉଥିବାବେଳେ ସେହି ଅଞ୍ଚଳର ଜଣେ ଡ୍ରାଇଭର ନିଜ ଗାଡିକୁ ନେଇ ଅପରାହ୍ନରେ ଘରକୁ ଫେରୁଥିଲେ । ତେବେ ରାସ୍ତା ଉପରେ ମିକ୍ସଚର ମେସିନଟି ରଖାଯାଇଥିବା ନେଇ ଏହାକୁ ସେ ସାଇଡ କରିବା ପାଇଁ କହିଥିଲେ । ମାତ୍ର ସେଠାରେ କାମ କରୁଥିବା ଠିକାଦାର ପପୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଡ୍ରାଇଭରଙ୍କ ଭାଇ ପହଞ୍ଚିଥିବାବେଳେ ତାଙ୍କୁ ମଧ୍ୟ ଠିକାଦରଙ୍କ ସମ୍ପର୍କୀୟ ମାଡ ମାରି ଲହୁଲୁହାଣ କରିଥିଲେ । ଏପରିକି ତାଙ୍କ ଘରେ ପଶି ଘରର ମହିଳାମାନଙ୍କୁ ଆକ୍ରମଣ କରିଥିଲେ ।
ଏନେଇ ଶୁକ୍ରବାର ଶତାଧିକ ୱାର୍ଡ ବାସିନ୍ଦା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ହେଲେ କୌଣସି ସୁଫଳ ନ ମିଳିବାରୁ ଶନିବାର ପୂର୍ବାହ୍ନରେ ଶତାଧିକ ପୁରୁଷ ଓ ମହିଳା ରାସ୍ତାରେ ଟାୟାର ଜାଳି ଥାନା ଘେରାଉ କରିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଡି ବସିଛନ୍ତି । ତେବେ ଏହି ଆକ୍ରମଣରେ 10ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ