କେନ୍ଦ୍ରାପଡା: ଧାନମଣ୍ଡିରେ ଉଠୁନାହିଁ ଧାନ । ଚିନ୍ତାରେ ଶହ ଶହ ଚାଷୀ । ଦେଶର ମେରୁଦଣ୍ଡ ଭାବେ ପରିଚିତ ସେ । ନିଜ ଝାଳ ବୁହାଇ ଦେଶର ପେଟ ପୋଷୁଥିବା ଚାଷୀ ଏବେ ନିଜ ପରିବାରର ଭରଣପୋଷଣ କରିବାରେ ହୋଇଛି ଅସଫଳ । ସମବାୟ ସମିତି ସମ୍ପାଦକଙ୍କ ଚାଷୀମାରଣ ନୀତି ଓ ଧାନବିକ୍ରେତାଙ୍କ ବିବାଦ ମଧ୍ୟରେ ବଳି ପଡୁଛନ୍ତି ଶତାଧିକ ଚାଷୀ । ପୂର୍ବରୁ ଟୋକନ କାଟିଥିଲେ ମଧ୍ୟ ଚାଷୀଙ୍କୁ ମିଲର ନାହାଁନ୍ତି କହି ବାରମ୍ବାର ଦୌଡାଉଛନ୍ତି ସମ୍ପାଦକ।
ବାରମ୍ବାର ସମବାୟ ସମିତିକୁ ଧାନ ବିକିବାକୁ ଯାଇ ନିରାଶ ହେବାପରେ ଚାଷୀମାନେ ନିଜ ଗୁହାରୀ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ତାଙ୍କ ଦୁଃଖ ବୁଝିବା ବଦଳରେ ସେମାନଙ୍କୁ ଧମକ ଦେଉଛନ୍ତି ସମ୍ପାଦକ । କୁଞ୍ଜ ବିହାରୀ ମହାରଣା ନାମକ ଜଣେ ଚାଷୀ ଏନେଇ ସମ୍ପାଦକଙ୍କୁ କହିଥିଲେ । କିନ୍ତୁ ସେ ତାଙ୍କୁ ଧମକ ଦେବା ସହ ସେଠାରୁ ଘଉଡାଇଦେଇଥିଲେ । ମୋ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବୁ । ଧାନ ଆଣିବୁ, ମଶାରୀ ଟାଙ୍ଗି ଶୋଇବୁ ,ତୋ ଧାନ ଗଜା ହେବ କିନ୍ତୁ ବିକ୍ରି ହେବନି ବୋଲି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ବୁଧବାର ଏଭଳି ଅଭିଯୋଗ ପୁନଶ୍ଚ ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ଓ ଧାନ ଉଠାଇବା ପାଇଁ ମିଲର ଏବଂ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରୀ ବାବୁଙ୍କର ଏଭଳି ଖାମଖିଆଲି ଓ ଆକ୍ରୋଶ ମୂଳକ ମନୋଭାବ ଯୋଗୁଁ ଚାଷୀ ହତାଶ ହେଉଥିବା ଦେଖିବାକୁ ମିଳିଛି । ସେପଟେ ସମ୍ପୃକ୍ତ ସମ୍ପାଦକଙ୍କୁ ଶୀଘ୍ର ବଦଳି କରିବାକୁ ଦାବି କରିଛନ୍ତି ଚାଷୀମାନେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ