କେନ୍ଦ୍ରାପଡା: ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା । ଦୀର୍ଘଦିନ ଧରି ପୌର ପରିଷଦ ଅଧୀନରେ ଥିବା ବିଭିନ୍ନ ୱାର୍ଡରେ ଜବରଦଖଲରେ ଘରକରି ରହୁଥିବା ଲୋକମାନଙ୍କ ପାଇଁ ଗତକାଲି(ଶନିବାର) ଉଚ୍ଛେଦ କରାଯାଇଛି ।
ସୂଚନାଅନୁସାରେ, କେନ୍ଦ୍ରାପଡ଼ା ପୌର ପରିଷଦ ୫ନଂ ୱାର୍ଡ ଗୋପ ଗାଁରେ ଜନୈକା ମହିଳା ପାଖାପାଖି ୧୫ଫୁଟ ସରକାରୀ ଜାଗାକୁ ଅକ୍ତିଆର କରି ସେଠାରେ ପକ୍କାଘର ନିର୍ମାଣ କରୁଥିଲେ। ତେବେ ଗତ ଫେବ୍ରୁଆରୀ ମାସରେ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀ ମହିଳାଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ସମ୍ପୃକ୍ତ ମହିଳା ପୌର ପରିଷଦ କର୍ମଚାରୀଙ୍କୁ ଗାଳିଗୁଲଜ କରି ତଡି ଦେଇଥିଲେ । ତେବେ ଦୀର୍ଘ ୬ ବର୍ଷ ପରେ ସ୍ଥାୟୀ ବୋର୍ଡ ଗଠନ ହେବା ପରେ ସ୍ଥାନୀୟ ଗୋପ ଗାଁର ଲୋକେ ଏବଂ କାଉନସିଲର ଏହି ଜବରଦଖଲ ଉଚ୍ଛେଦ ପାଇଁ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।
ଶନିବାର ପୌର ପରିଷଦର ଅମିନଙ୍କ ସମେତ ପୋଲିସ ଫୋର୍ସ ଉପସ୍ଥିତିରେ ଉକ୍ତ ଜବରଦଖଲ ସ୍ଥାନକୁ ମାପଚୁପ କରାଯାଇ ଏହି ସ୍ଥାନକୁ ଦୁଇ ସପ୍ତାହ ମଧ୍ୟରେ ଜବରଦଖଲ ମୁକ୍ତ କରିବା ପାଇଁ ନୋଟିସ ଦିଆଯାଇଛି । ପୂର୍ବରୁ ଏହି ଘର ନିର୍ମାଣ ସମୟରେ ପୌର ପରିଷଦ ପକ୍ଷରୁ କୌଣସି NOC କିମ୍ବା ଆକ୍ସନ ପ୍ଲାନ ନିଆଯାଇନଥିବା କହିଛନ୍ତି ଲାଇସେନ୍ସ ଇନ୍ସପେକ୍ଟର । ତେବେ ପୌର ପରିଷଦରେ ଅନେକ ସ୍ଥାନ ଜବରଦଖଲ ହୋଇ ରହିଛି କାହିଁକି ତାଙ୍କ ଜାଗାକୁ ଉଦ୍ଦେଶ୍ୟମୂଳକ ଭାବେ ମାପଚୁପ କରାଯାଇ ଭାଙ୍ଗିବା ନିର୍ଦ୍ଦେଶ ଦିଆଗଲା ସେନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ମହିଳା ଜଣଙ୍କ । ଆଇନ ଆଉ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେଉ ଏବଂ ଜବରଦଖଲ କରିଥିବା ସମସ୍ତ ଲୋକଙ୍କୁ ନୋଟିସ ଦିଆଯାଇ ଭଙ୍ଗାଯାଉ ବୋଲି କହିଛନ୍ତି ସେ ।
ଅନ୍ୟପଟେ ପୂର୍ବରୁ କଣ ହୋଇଛି ସେଥିରେ କୌଣସି ଯାଏ ଆସେ ନାହିଁ ଏବେ ଯେଉଁ ଅଭିଯୋଗ ତାଙ୍କ ନଜରକୁ ଆସିବ ସେସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି କଡା ବାଣୀ ଶୁଣାଇଛନ୍ତି ପୌରାଧ୍ୟକ୍ଷା । ଏହାସହ ୨୧ୱାର୍ଡ ବିଶିଷ୍ଟ କେନ୍ଦ୍ରାପଡ଼ା ପୌର ପରିଷଦରେ କୌଣସି ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ ନକରିବାକୁ ଅନୁରୋଧ କରିଛନ୍ତି ପୌରାଧ୍ୟକ୍ଷା । ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା କାରଣରୁ ଗ୍ରାମବାସୀମାନେ ଗାଁରେ ସୁବିଧା ସୁଯୋଗ ପାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ