କେନ୍ଦ୍ରାପଡା: ଘରୋଇ ସ୍କୁଲ ଗୁଡିକ ସହ ତାଳଦେଇ ଆଗକୁ ବଢୁଛି ସରକାରୀ ସ୍କୁଲ । ବିଭିନ୍ନ ସମୟରେ ଭିତ୍ତିଭୂମି ଅଭାବ କଥା କୁହାଯାଇ ସରକାରୀ ସ୍କୁଲଗୁଡିକୁ ତାତ୍ସଲ୍ୟ କରାଯାଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ, ମୋ ବିଦ୍ୟାଳୟ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଆଗକୁ ବଢୁଛି ସ୍କୁଲ ।
ଶୀତତାପ ନିୟନ୍ତ୍ରିତ କକ୍ଷ ସାଙ୍ଗକୁ ଡିଜାଇନ ଲାଇଟ ଆଉ ସାଙ୍ଗରେ କମ୍ପ୍ୟୁଟର ଶିକ୍ଷା । ଏ କୌଣସି ବେସରକାରୀ ବିଦ୍ୟାଳୟର ଦୃଶ୍ୟ ନୁହେଁ,ଏହା ହେଉଛି କେନ୍ଦ୍ରାପଡ଼ା ବ୍ଲକ କେଶପୁର ପଞ୍ଚାୟତର ଉଚ୍ଚ ଶିକ୍ଷାଶ୍ରମ, ଅରୁଆ କଦଳୀବଣ ସରକାରୀ ସ୍କୁଲର ଦୃଶ୍ୟ । ଭଳିକିଭଳି ଲାଇଟ, ୧୦ରୁ ଊର୍ଦ୍ଧ୍ବ ପଙ୍ଖା, ତିନୋଟି ଏସିରେ ବସି ଲାଇବ୍ରେରୀ(ପାଠାଗାର)ରେ ଥିବା ବିଭିନ୍ନ ବହିକୁ ପଢିବେ ଏହି ସ୍କୁଲରେ ପଢ଼ୁଥିବା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୦୦ ଛାତ୍ରଛାତ୍ରୀ ।
ଏହି ଅତ୍ୟାଧୁନିକ ପାଠାଗାରରେ ୯ ହଜାରରୁ ଊର୍ଦ୍ଧ୍ବ ବହିପତ୍ର ରହିଥିବା ବେଳେ ଦେଶ ବିଦେଶର ମହାପୁରୁଷଙ୍କ ଜୀବନୀ, ଗଣିତ ସୂତ୍ର ଓ ଶୈଳୀ, ଇଂରାଜୀ ଏବଂ ଓଡ଼ିଆ ରଚନା ଓ ଦରଖାସ୍ତ ଲିଖନ, ପ୍ରାଣୀ ଓ ଜୀବ ବିଜ୍ଞାନ ସମ୍ପର୍କିତ ପୁସ୍ତକ ସମେତ ବିଭିନ୍ନ ଐତିହାସିକ ଓ ଭୌଗୋଳିକ ବ୍ୟକ୍ତିବିଶେଷଙ୍କର ବହି ଉପଲବ୍ଧ ରହିଛି । ଏହି ଲାଇବ୍ରେରୀକୁ ସୁନ୍ଦର କରି ଗଢି ତୋଳିବା ପାଇଁ ହାଡଭଙ୍ଗା ପରିଶ୍ରମ କରୁଛନ୍ତି ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ । ପୂର୍ବରୁ ଏହି ବିଦ୍ୟାଳୟର ଲାଇବ୍ରେରୀ ଘର ଥିଲେ ମଧ୍ୟ ଏହାର ପରିବେଶ ଓ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀମାନେ ଲାଇବ୍ରେରୀକୁ ଆସୁନଥିଲେ । ତେବେ ବର୍ତ୍ତମାନ ଅତ୍ୟାଧୁନିକ ଲାଇବ୍ରେରୀ ସମେତ କମ୍ପ୍ୟୁଟର ମାଧ୍ୟମରେ ଇ-ଶିକ୍ଷାକୁ ଖୁବ ଆଦରି ନେଇଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ କେବଳ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସୁଥିବା ବେଳେ ୬୦ଟି ସିଟ ବିଶିଷ୍ଟ ଏହି ଲାଇବ୍ରେରୀରେ ବସି ସମୂହ ପାଠ ପଢିବା ସାଙ୍ଗକୁ କମ୍ପ୍ୟୁଟର ଚଳାଇବା ଶିକ୍ଷା ପାଇବାରୁ ଖୁବ ଆନନ୍ଦିତ ଛାତ୍ରଛାତ୍ରୀ ।

ପରିବେଶ ଭଲ ରହିଲେ ଶୈକ୍ଷିକ ବାତାବରଣ ଭଲ ଆସିବ ଓ ଛାତ୍ରଛାତ୍ରୀ ମାନେ ପାଠପଢ଼ା ପ୍ରତି ଅଧିକ ଆକୃଷ୍ଟ ହେବେ ବୋଲି କହିଛନ୍ତି ଲାଇବ୍ରେରୀ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ । ଲାଇବ୍ରେରୀରେ ଗପ, ଗୀତ ଠାରୁ ଆରମ୍ଭ କରି ବହୁ ପୁସ୍ତକ ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଆଉ ଲାଇବ୍ରେରୀ କ୍ଳାସ ଆସିବାକୁ ବାଧ୍ୟ କରାନଗଲେ ମଧ୍ୟ ସେମାନେ ଆପଣାଛାଏଁ ଆକୃଷ୍ଟ ହୋଇ ଲାଇବ୍ରେରୀ କ୍ଳାସକୁ ଆସିବେ ବୋଲି ଆଶା କରିଛନ୍ତି ଶିକ୍ଷୟତ୍ରୀ ଜଣଙ୍କ । ସେହିପରି ୧୯୪୦ ମସିହାରୁ ସ୍ଥାପିତ ଏହି ବିଦ୍ୟାଳୟର ପୂର୍ବ ସ୍ଥିତି ବହୁ ଦୁଃସ୍ଥ ଥିଲା । ବିଦ୍ୟାଳୟକୁ ଆସିବା ଓ ଯିବାକୁ ନିତିଦିନିଆ ରାସ୍ତାଟିଏ ନଥିଲା । ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଲହଡି ଖେଳୁଥିବା ବେଳେ ଦୀର୍ଘ ୮୦ବର୍ଷ ପରେ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ପଞ୍ଚାୟତ ସହଯୋଗରେ ବିଦ୍ୟାଳୟର ମାନଚିତ୍ର ବଦଳିଛି ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ।

ଡିଜିଟାଲ କ୍ଳାସରୁମ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ବସିବା ପାଇଁ ଅତ୍ୟାଧୁନିକ ଡେସ୍କବେଞ୍ଚ କୌଣସି ଘରୋଇ ସ୍କୁଲଠାରୁ କମ ନୁହେଁ ଯାହାକି ଭବିଷ୍ୟତରେ ଘରୋଇ ଶିକ୍ଷାନୁଷ୍ଠାନ ବଦଳରେ ସରକାରୀ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ପ୍ରଧାନଶିକ୍ଷକ।
ଯେଉଁ ବିଦ୍ୟାଳୟରେ ଦିନେ ସେ ପଢୁଥିଲେ ଏବେ ସରକାରଙ୍କ ଯୋଜନା ମାଧ୍ୟମରେ ତାର ଋଣ ସୁଝିବାର ସୁଯୋଗ ମିଳିଥିବାରୁ ଏହାକୁ ପୂର୍ଣ୍ଣ ଉପଯୋଗ କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ଇ-ପାଠାଗାର ସାଙ୍ଗକୁ ଅତ୍ୟାଧୁନିକ ଶ୍ରେଣୀଗୃହ, ଭୋଜନ କକ୍ଷ, ବିଶୁଦ୍ଧ ପାନୀୟ ଜଳ, ମନୋରମ ଉଦ୍ୟାନ ଇତ୍ୟାଦି ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ଆକୃଷ୍ଟ କରାଯାଉଥିବା କହିଛନ୍ତି ସରପଞ୍ଚ ।
ଏହି ସବୁ କାର୍ଯ୍ୟ ଗୁଡିକ ପାଇଁ ୪୦-୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଏହି କାମରେ ଯେପରି ଟିକିଏ ଖୁଣ ନରୁହେ ସେନେଇ ସ୍ଥାନୀୟ କେଶପୁର ସରପଞ୍ଚ ଯତ୍ନବାନ ବୋଲି କହିଛନ୍ତି । କେନ୍ଦ୍ରାପଡ଼ା ବ୍ଲକର ସମସ୍ତ ୨୯ଟି ପଞ୍ଚାୟତରେ ୩୫ଟି ସ୍କୁଲକୁ ଅତ୍ୟାଧୁନିକ ଭାବେ ସଜାଇବା ପାଇଁ ଯୋଜନା ହାତକୁ ନିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍କୁଲକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଥିବା କହିଛନ୍ତି କେନ୍ଦ୍ରାପଡ଼ା ବିଡ଼ିଓ । ତେବେ ରାଜ୍ୟର ପ୍ରଥମ ଇ-ଲାଇବ୍ରେରୀ ନିର୍ମାଣ କରି କେଶପୁର ପଞ୍ଚାୟତ ସମଗ୍ର ବ୍ଲକ ଏବଂ ଜିଲ୍ଲା ପାଇଁ ଗର୍ବ ଆଣିଦେଇଥିବାରୁ ସେ ସ୍ଥାନୀୟ ସରପଞ୍ଚଙ୍କୁ ସାଧୁବାଦ ଜଣାଇଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜ୍ୟର ପ୍ରଥମ ଏହି ଇ-ଲାଇବ୍ରେରୀ ଓ ଡିଜିଟାଲ କ୍ଳାସରୁମକୁ ନେଇ ଆନନ୍ଦବ୍ୟକ୍ତ କରିଥିବା ବେଳେ ଏହାର ଫଟୋକୁ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ ମଧ୍ୟ କରିଛନ୍ତି । ବିଭିନ୍ନ ଯୋଜନାକୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ରକ୍ଷଣାବେକ୍ଷଣ କରାନଯିବା ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ରାଜ୍ୟର ଗର୍ବ ପ୍ରଥମ ଇ-ଲାଇବ୍ରେରୀକୁ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି କେତେଦିନ ସଂରକ୍ଷଣ କରି ରଖିବେ ତାହା ସମୟ କହିବ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ