ନିଆଳି: ଘରୋଇ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ପରିବାରକୁ ମିଳୁନି ମୃତଦେହ । କୋଟିଏ ଟଙ୍କା କ୍ଷତିପୂରଣ ଓ ଜ୍ୟୋତି ରଞ୍ଜନ ପତ୍ନୀଙ୍କୁ ଚାକିରି ଦେବା ପାଇଁ ଦାବି ହୋଇଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ବ୍ରାହ୍ମଣ ସାଇଲୋ ଗାଁର ରମେଶ ଚନ୍ଦ୍ର ମଲ୍ଲିକଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ । ତାଙ୍କର ଚିକିତ୍ସା ଜାରି ରହିଥିବା କଥା ପ୍ରଥମେ କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଦିଲ୍ଲୀପ ବୋଲି ଶୁଣିବାକୁ ମିଳିଲା । ଯାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା । ତେବେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ମଧ୍ୟ ଆଖି ବୁଜିଛନ୍ତି । ହେଲେ ଜ୍ୟୋତି ରଞ୍ଜନଙ୍କ ମୃତଦେହକୁ ଦିଲ୍ଲୀପଙ୍କ ପରିବାରକୁ ଦିଆଯାଇଥିବା କଥା କୁହାଯାଉଥିବାବେଳେ ବର୍ତ୍ତମାନ ମୃତଦେହ ପାଇଁ ଅଡି ବସିଛନ୍ତି ପରିବାର ।
ସେପଟେ ଜ୍ୟୋତିରଞ୍ଜନଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ସହ ଜ୍ୟୋତି ରଞ୍ଜନଙ୍କ ପତ୍ନୀଙ୍କୁ ଚାକିରି ଦେବା ପାଇଁ ପରିବାର ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି । ଜ୍ୟୋତି ରଞ୍ଜନ ମଲ୍ଲିକ ଅଡଶପୁର ଅଞ୍ଚଳର ଅଶୋକ ମୁଖୀଙ୍କ ଝିଅ ଅର୍ପିତା ମୁଖୀଙ୍କୁ ଗତ ୩ ବର୍ଷ ତଳେ ପ୍ରେମ ବିବାହ କରିଥଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ଅର୍ପିତା । ଯଦି ଜ୍ୟୋତି ରଞ୍ଜନଙ୍କ ମୃତ୍ଯୁ ହୋଇଛି ତେବେ ମୃତଦେହ ଦେବା ପାଇଁ ମେଡିକାଲ କତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି ପରିବାର। ଏହି ଘଟଣା ବର୍ତ୍ତମାନ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ୨୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ପାଣ୍ତରାସ୍ଥିତ ଘରୋଇ ହସ୍ପିଟାଲ ପରିସରରେ ବହୁ ଚର୍ଚ୍ଚିତ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣାକୁ ୯ ଦିନ ବିତିଯାଇଥିଲେ ବି ଉନ୍ମୋଚିତ ହୋଇପାରୁନାହିଁ ରହସ୍ୟ।
କିଏ ଜୀବିତ କିଏ ମୃତ ସେନେଇ ଏବେବି ଦ୍ବନ୍ଦ୍ବରେ ରହିଛନ୍ତି ପରିବାରଲୋକେ । ଏହାରି ଭିତରେ ଗୋଟିଏ ମୃତଦେହ ଦାହ ସରିଥିବାବେଳେ ଦିଲ୍ଲୀପଙ୍କ ପତ୍ନୀ ସ୍ବାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଜୀବନ ହାରିଛନ୍ତି । ରାଜଧାନୀ ଉପକଣ୍ଠରେ ଏଙି ଘଟଣା ଘଟିଥିବାବେଳେ ପୋଲିସ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ଖିଅ ଖୋଜି ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଇଟିଭି ଭାରତ, ନିଆଳି