କେନ୍ଦ୍ରାପଡା: ୫ ବର୍ଷର ଶିଶୁକନ୍ୟା କହୁଛି ମାଆକୁ ହତ୍ୟା କରାଯାଇଥିବାର କୋହଭରା କାହାଣୀ । ବଡମାଆ କିରୋସିନ୍ ଢାଳିଲେ, ବାପା, ମାଆ ଦେହରେ ନିଆଁ ଲଗାଇଦେଲେ ବୋଲି କହୁଛି ଝିଅ ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକା ଥାନା ଅଚ୍ୟୁତପୁର ଗାଁର ଜଗନ ସେଠୀଙ୍କୁ ଲୋଚନ ୨୦୧୫ ମସିହାରେ ବିବାହ କରିଥିବାବେଳେ ବିବାହ ସମୟରେ ଶାଶୁଘର ପକ୍ଷରୁ ଦାବି ମୁତାବକ ଯୌତୁକ ବାପଘର ଲୋକେ ଦେଇଥିଲେ । ତେବେ ଅଧିକ ଯୌତୁକ ଦାବି କରି ଲୋଚନଙ୍କ ଶାଶୂଘର ଲୋକେ ସଦାସର୍ବଦା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଏନେଇ ବହୁବାର ଭଦ୍ରଲୋକଙ୍କ ମାଧ୍ୟମରେ ସମାଧାନ ମଧ୍ୟ ହୋଇଛି ।
ଗତ ୪ ତାରିଖ ବିଳମ୍ବିତ ରାତିରେ ଲୋଚନଙ୍କୁ ତାଙ୍କ ବଡମାଆ କିରୋସିନି ଢାଳି ଥିବାବେଳେ ସ୍ୱାମୀ ଜଗନ ନିଆଁ ଲଗାଇଥିବା କହିଛନ୍ତି ଲୋଚନଙ୍କ ୫ ବର୍ଷର ଝିଅ ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନ୍ୟପଟେ ଲୋଚନ ନିଆଁରେ ପୋଡିହେବା ପରେ ଶାଶୁଘର ଲୋକେ ଏସସିବିରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ମୃତ୍ୟୁ ହେବା ପରେ ମଧ୍ୟ ବାପଘର ଲୋକଙ୍କୁ ଶାଶୁଘର ଲୋକେ ନ ଜଣାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଏହି ହତ୍ୟାକାଣ୍ଡରେ ଶାଶୁଘର ଲୋକେ ସାମିଲ ଥିବା ନେଇ ଲୋଚନଙ୍କ ବାପା ଥାନାରେ ଏତଲା ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ