କେନ୍ଦ୍ରାପଡା: କୁମ୍ଭୀର ଆକ୍ରମଣରେ ନାବାଳକ ମୃତ । ଏ ଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଖରସ୍ରୋତା ନଦୀରେ ଘଟିଛି । ବାପାଙ୍କ ସହିତ ଗାଧୋଇବାକୁ ଯାଇଥିବାବେଳେ ନାବାଳକକୁ କୁମ୍ଭୀର ଟାଣିନେଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଗଡ଼ଗଡ଼ି ପୋଲ ନିକଟସ୍ଥ ପାରିମକୁନ୍ଦପୁର ଗାଁର ଭୋଳା ବେହୁରାଙ୍କ 14ବର୍ଷର ପୁଅ ରୁଦ୍ରନାରାୟଣ ବେହୁରାଙ୍କୁ ଟାଣିନେଲା କୁମ୍ଭୀର । ରବିବାର ଦିନ 2ଟା ବେଳେ ରୁଦ୍ର ଏବଂ ତାଙ୍କ ବାପା ଦୁହେଁ ସାଙ୍ଗହୋଇ ବାଡ଼ିପଟ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ବାପା ଭୋଳା ପାହାଚ ଉପରେ ବସିଥିବା ବେଳେ ରୁଦ୍ର ସାଙ୍ଗ ମାନଙ୍କ ସାଙ୍ଗରେ ଗାଧୋଉଥିବା ବେଳେ କେହି କିଛି ବୁଝିବା ଆଗରୁ ରୁଦ୍ରକୁ ଗଭୀର ନଦୀ ଭିତରକୁ କୁମ୍ଭୀର ନେଇଯାଇଥିଲା । ବାପା ଓ ସାଙ୍ଗ ମାନେ ଯେତେ ଚିତ୍କାର କଲେବି କୁମ୍ଭୀର ମୁହଁରୁ ରୁଦ୍ରକୁ ବଞ୍ଚାଇ ପାରିନଥିଲେ ।
ଖବର ପାଇ ଆଖପାଖ ଗାଁର ଲୋକ ନଦୀ ପଠାରେ ଜମା ହୋଇଥିବା ବେଳେ ରାଜକନିକା ଦମକଳ ବିଭାଗ ରୁଦ୍ରଙ୍କୁ ନଦୀ ଭିତରେ ଖୋଜାଖୋଜି କରି ରାତିରେ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ