କେନ୍ଦ୍ରାପଡା: ନାବାଜିଲା ବାଜା, ନା ଆସିଲା ରୋଷଣି । ବିନା ବେଦୀରେ ଥାନାରେ ହେଲା ବାହାଘର । ପରସ୍ପରକୁ ବରଣମାଳା ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ । ପ୍ରେମିକାର ମଥାରେ ସିନ୍ଦୁ ଦେଇ ସାତ ଜନ୍ମର ସାଥି କଲା ପ୍ରେମିକ । ଥାନା ପରିସରରେ ବିବାହ ପରେ ମନ୍ଦିରରେ ପଡିଲା ହାତଗଣ୍ଠି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ଵର ଗ୍ରାମରେ।
କପାଳେଶ୍ଵର ଗାଁର ଦଳିତ ଯୁବତୀ ଅର୍ଚ୍ଚନା ମଲ୍ଲିକଙ୍କ ସହ ପଡୋଶୀ ଯୁବକ ସଚିନ୍ଦ୍ର ବାରିକଙ୍କ ବିବାହ ହୋଇଛି । ଦୀର୍ଘଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦିନ ଗଡିବା ସାଙ୍ଗକୁ ଉଭୟଙ୍କ ସମ୍ପର୍କ ମଧ୍ୟ ମଜବୁତ ହେଲା । ଏହାପରେ ବିବାହ ପାଇଁ ଦୁହେଁ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଦୁହେଁଙ୍କର ଜାତି ଭିନ୍ନ ଭିନ୍ନ ହୋଇଥିବାରୁ ବିବାହରେ ବାଧା ଉପୁଜିଥିଲା । ପୁଅ ଘର ପରିବାର ଲୋକେ ବିବାହକୁ ବିରୋଧ କରିଥିଲେ ।
ଏହାପରେ ପ୍ରେମିକ ସଚିନ୍ଦ୍ର ଅର୍ଚ୍ଚନାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଶେଷରେ ବାଧ୍ୟ ହୋଇ ପ୍ରେମିକର ଘର ଆଗରେ ବୁଧବାର ଧାରଣା ଦେଇଥିଲେ ଅର୍ଚ୍ଚନା l ପ୍ରେମିକ ସଚିନ୍ଦ୍ର,ଅର୍ଚ୍ଚନାଙ୍କୁ ପତ୍ନୀ ରୂପେ ଗ୍ରହଣ ନକରିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ ଯୁବତୀ ଜଣଙ୍କ । ପ୍ରଥମେ ଗ୍ରାମବାସୀ ଓ ପରେ ପୋଲିସ ଘଟଣାରେ ହସ୍ତକ୍ଷେପ କରି ଉଭୟଙ୍କୁ ଥାନାକୁ ନେଇ ଯାଇଥିଲେ।
ଉଭୟଙ୍କ ପରିବାରର ସଦସ୍ୟଙ୍କୁ ବୁଝାସୁଝା ପରେ ଗୁରୁବାର ଅପରାହ୍ନରେ ସଦର ଥାନା ପରିସରରେ ଉଭୟଙ୍କ ହାତଗଣ୍ଠି ପଡିଥିଲା । ପ୍ରେମିକ ସଚିନ୍ଦ୍ର ପ୍ରେମିକା ଅର୍ଚ୍ଚନାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ବିନା ବାଜା ବାଣରେ ନିରାଡ଼ମ୍ବର ଭାବେ ବିବାହ କରିଥିଲେ । ପରେ ହିନ୍ଦୁ ରୀତିନୀତି ଓ ବୈଦିକ ପରମ୍ପରା ଅନୁଯାୟୀ, କପାଳେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଓ ସ୍ଥାନୀୟ ମୁରବୀ ଲୋକଙ୍କ ଉପସ୍ଥିତିରେ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା । ଏହି ବିବାହକୁ ନେଇ ଗରାପୁର ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କ ମଙ୍ଗଳ ମନାସିଛନ୍ତି ସ୍ଥାନୀୟ ଲୋକେ l
ଏନେଇ କନ୍ୟା ସାଜିଥିବା ଅର୍ଚ୍ଚନା ମଲ୍ଲିକ କହିଛନ୍ତି ଯେ, ''ସଚିନ୍ଦ୍ରଙ୍କ ଘରେ ପ୍ରେମ ବିବାହ କରିବାକୁ ରାଜି ନଥିବାରୁ ଥାନାରେ ବିବାହ ହୋଇଛି । ଆମ ଘର ପାଖେ ସଚିନ୍ଦ୍ରଙ୍କ ଘର । ପରସ୍ପରକୁ ଭଲ ପାଇ ପଳାଇ ଯାଇଥିଲୁ । ଏହାପରେ ବାହାଘର ପାଇଁ ଘର ଲୋକ ରାଜି ହୋଇନଥିଲେ । ଥାନାରେ ଅଭିଯୋଗ ହେବାପରେ ବାହାଘର ହେଲା । ମୁଁ ବିବାହରେ ବହୁତ ଖୁସି ଅଛି। । ''
ଇଟିଭି ଭାରତ, କେନ୍ଦ୍ରାପଡା