କେନ୍ଦ୍ରାପଡା: ଦେଶରେ କୋରୋନାର ଦ୍ଵିତୀୟ ଲହର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗୁଛି । ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ପରିଲକ୍ଷିତ ହେଉଛି । ପ୍ରତିଦିନ ରାଜ୍ୟରୁ ଶତାଧିକ କୋରୋନା ପଜିଟିଭ ଚିହ୍ନଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାସ୍କ ପରିଧାନ, ସାନିଟାଇଜ ବ୍ୟବହାର ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବାକୁ ଲୋକମାନଙ୍କୁ ସଚେତନ କରାଉଛନ୍ତି ।
ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ବ୍ୟବହାର କଲେ ଲକଡାଉନ ଓ ସଟଡାଉନ ଭଳି ପରିସ୍ଥିତିରୁ ଆମେ ଦୂରେଇ ରହିପାରିବା ବୋଲି ବାର୍ତ୍ତା ଦେଇଛନ୍ତି । କିନ୍ତୁ କିଛି ଅମାନିଆ ଏହି ମାସ୍କ ବ୍ୟବହାରକୁ ହେୟଜ୍ଞାନ ମନେକରି ମାସ୍କ ପରିଧାନ ଉପରେ ଗୁରୁତ୍ୱ ନଦେଇ ଖୁଲମଖୁଲା ବୁଲୁଥିବା ଦେଖିବାକୁ ମିଳିଛି । ଆଜି(ଗୁରୁବାର) କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇଛି । ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ସହରର ପୁରୁଣା ମଟରଷ୍ଟାଣ୍ଡ, ବଡ଼ହାଟ, ନୂଆ ବସଷ୍ଟାଣ୍ଡ, ତିନିମୁହାଣୀ ଆଦି ସ୍ଥାନରେ ଚେକିଂ କରାଯାଇ ୨୫ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ପ୍ରାୟ ୫୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଚେକିଂ ଓ ଜରିମାନା ଆଦାୟକୁ ଆହୁରି ବ୍ୟାପକ କରାଯିବ ବୋଲି ଉପଜିଲ୍ଲାପାଳ କହିବା ସହ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ ଓ ଲୋକମାନେ ହିଁ ସଚେତନ ହୋଇ କୋଭିଡର ଦ୍ଵିତୀୟ ଲହରକୁ ମୁକାବିଲା କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ