କେନ୍ଦ୍ରାପଡା: ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ଆକ୍ରମଣ ଘଟଣାକୁ ନେଇ ୩୦ରୁ ଉର୍ଦ୍ଧ୍ବ ଠିକାଦାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ।
ସୂଚନା ଅନୁଯାୟୀ, ଗତ ୨୬ ନଭେମ୍ବର ସନ୍ଧ୍ୟାରେ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟ କରୁଥିବା ଠିକାଦାର ତଥା ତୁଳସୀକ୍ଷେତ୍ର ପାନୀୟ ଜଳ ଯୋଗାଣ ଓ ପରିମଳ ଠିକାଦାର ସଙ୍ଘର ସମ୍ପାଦକ ଶୁଭେନ୍ଦୁ ରାଉତଙ୍କୁ ପଟ୍ଟାମୁଣ୍ଡାଇ ଥାନା ଦୋବନ୍ଧା ନିକଟରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା।
ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ଶୁଭେନ୍ଦୁ ବର୍ତ୍ତମାନ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଘଟଣାକୁ ୧୨ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଓ ପ୍ରଶାସନିକ ତଦନ୍ତ ଶୂନ ହେବା କାରଣକୁ ବିରୋଧ କରି ସୋମବାର ୩୦ରୁ ଉର୍ଦ୍ଧ୍ବ ଠିକାଦାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି।
ଠିକାଦାର ମାନଙ୍କ ଅଭିଯୋଗ ଅନୁଯାୟୀ, ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଥିବା ଅସାଧୁ କର୍ମଚାରୀଙ୍କ ବିରୋଧରେ ଶୁଭେନ୍ଦୁ ମୁହଁ ଖୋଲିଥିଲେ । ଯେଉଁଥିପାଇଁ ତାଙ୍କୁ ଆକ୍ରମଣ କରାଯାଇଛି।
ଅନ୍ୟପଟେ ଶୁଭେନ୍ଦୁଙ୍କ ପତ୍ନୀ ଘଟଣାର ପରଦିନ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ପୋଲିସ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ। ଯଦି ଠିକାଦାର ମାନଙ୍କ ଦାବି ଅନୁଯାୟୀ ଘଟଣାର ନିରପେକ୍ଷ ତଦନ୍ତ କରାନଯାଏ ଓ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ । ତେବେ ଆଗାମୀ ଦିନରେ ଠିକାଦାର ସଂଘ ରାଜରାସ୍ତାକୁ ଓହ୍ଲାଇବା ସହ କାର୍ଯ୍ୟ ବନ୍ଦ କରିବ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ