କେନ୍ଦ୍ରାପଡା: ଆଜି(ଗୁରୁବାର) ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନ । ଆସନ୍ତାକାଲି(ଶୁକ୍ରବାର) ଏହି ପ୍ରକ୍ରିୟା ସରିବାକୁ ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ଆସନରୁ ୨୫ଟି ଆସନରେ ପ୍ରାର୍ଥି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(BJP) । ଘୋଷଣା କରାଯାଇଥିବା ୨୫ଟି ଆସନରୁ ୧୩ଟି ଆସନରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଦଳର ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତିଙ୍କ ସ୍ୱାକ୍ଷରରେ ଏହି ୨୫ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଥିବା ଜିଲ୍ଲା ସଭାପତି କିଶୋର ପଣ୍ଡା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଜୋନ ନଂ ୧, ୨, ୩, ୪, ୨୭, ୨୮ ଓ ୨୯ରେ ପ୍ରାର୍ଥି ତାଲିକା ଖୁବଶୀଘ୍ର ଘୋଷଣା କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ।

ଗତକାଲି(ବୁଧବାର) ସୁଦ୍ଧା କଂଗ୍ରେସ ଏହାର ଚତୁର୍ଥ ପର୍ଯ୍ୟାୟ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ ଏଯାବତ୍ ଏହାର ପ୍ରାର୍ଥି ତାଲିକା କୌଣସି ସାମାଜିକ କିମ୍ବା ମିଡିଆରେ ଘୋଷଣା କରିନାହିଁ । ଦଳ ପକ୍ଷରୁ ପ୍ରାର୍ଥୀ ଦଳୀୟ ଚିହ୍ନରେ ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳୁଛି । ପ୍ରକାଶଥାଉ କି, ଚଳିତ ଥର ପଞ୍ଚାୟତ ନିର୍ବାଚନରେ ମୋଟ ୯୧୯୧ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୩ ଜଣ ପଞ୍ଚାୟତ ସମିତି ସଭ୍ୟ ଏବଂ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମୋଟ ୨କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଭୋଟର ମତଦାନ କରିବେ । ଆସନ୍ତା ୨୫ ତାରିଖ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ