କେନ୍ଦ୍ରାପଡ଼ା: ଜିଲ୍ଲାରେ ସୋମବାର ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲାର ପଜିଟିଭ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ନବମ କୋରୋନା ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ତାଙ୍କୁ କୋଭିଡ ହସପିଟାଲକୁ ପଠାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।
9ମ ଆକ୍ରାନ୍ତ ଜଣକ ଗତ ୭ ତାରିଖ ଦିନ ସୁରତରୁ ଫେରିବା ପରେ ତାଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଥିଲା । ତେଣୁ ତାଙ୍କର ଜନସାଧାରଣଙ୍କ ସହ କୌଣସି ସମ୍ପର୍କ ନଥିବାରୁ ଜନସାଧାରଣଙ୍କୁ ବିବ୍ରତ ନ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ତେବେ ଉକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ତାଙ୍କ ସହିତ ରହୁଥିବା ଅନ୍ୟ ୨୭ଜଣଙ୍କ ସ୍ବାବ ନମୁନା ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ ଆକ୍ରାନ୍ତ ଜଣଙ୍କୁ ଅଶ୍ବିନୀ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ସେ କହିଛନ୍ତି । ଆକ୍ରାନ୍ତ ଜଣଙ୍କ ସହ ଅନ୍ୟ ୨୧ଜଣ ମଧ୍ୟ ସୁରତରୁ ଫେରିଛନ୍ତି । ସେହିପରି ଉକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ଆଉ ୭ ଜଣ ରହିଥିଲେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ଜିଲ୍ଲାରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୨ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଅନ୍ୟଜଣେ ବିଦେଶରୁ ଆସିଥିବା ସୂଚନା ରହିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ