କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି କସରତ । ପ୍ରାର୍ଥୀମାନେ ଜୀବନ ଲଗାଇ କରୁଛନ୍ତି ପ୍ରଚାର । ଗତ ୨୦୧୭ ନିର୍ବାଚନ ଫଳାଫଳ ଅପେକ୍ଷା ୨୦୨୨ ନିର୍ବାଚନରେ ଦଳ ସମର୍ଥିତ ପ୍ରାର୍ଥୀମାନେ ଲୋକମାନଙ୍କ ପାଖକୁ ବିକାଶର ଗାଥା ବହନ କରି ଯାଇଥିବା ବେଳେ ଭଙ୍ଗାଘର, ଭତ୍ତା ପ୍ରଦାନ ସମେତ ରାସନ କାର୍ଡ ଓ ଚାଷୀ ସମସ୍ୟାକୁ ନେଇ ପ୍ରାର୍ଥୀଙ୍କୁ ଘେରୁଛନ୍ତି ଭୋଟର । କେନ୍ଦ୍ରାପଡ଼ା ୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଭାବେ ବିଜେଡି ନବାଗତା ତଥା ଆଇନଜୀବୀ ଲିଲିତା ଦାସଙ୍କ ଉପରେ ଭରସା କରିଥିବା ବେଳେ ବିଜେପି ଚଳିତ ନିର୍ବାଚନ ପାଇଁ ପଦ୍ମିନୀଙ୍କ ଉପରେ ଭରସା କରିଛି ।
ଯଦିଓ ଗତ ନିର୍ବାଚନରେ ଏହି ଆସନଟି ବିଜେପି ଖାତାକୁ ଯାଇଥିଲା କିନ୍ତୁ, ଏହି ନିର୍ବାଚନ ବିଜେପିର ବିଜୟରେ ବ୍ରେକ ଲଗାଇବାକୁ ବିଜେଡି ଜୋରସୋର ପ୍ରଚେଷ୍ଟା ଚଲାଇଛି । ଏହି ଜୋନ ଅଧିନରେ ଢୋଲ, ଧୂମାତ, ଘାଗରା, ଇନ୍ଦୁପୁର, କୋରୋ, କୁତରଙ୍ଗ, ନିକିରାଇ ଓ ଚାରିଗାଁକୁ ମିଶାଇ ମୋଟ ୮ଟି ପଞ୍ଚାୟତର ୩୨୨୧୯ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଜେଡି ପ୍ରାର୍ଥୀନୀ ସ୍ବାସ୍ଥ୍ୟକାର୍ଡ଼, ମହିଳା ସଶକ୍ତିକରଣ, ପାନୀୟଜଳ ଯୋଗାଣରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ନେଇ ପ୍ରଚାର ଚଳାଇଥିବା ବେଳେ ବିଜେପି ପ୍ରାର୍ଥିନୀ ପଦ୍ମିନୀ, ଭଙ୍ଗାଘର ଦେଖାଇ ବିଜେଡି ଆବାସ ଯୋଜନାରେ ଲୁଟ କରିଥିବା, ଶିକ୍ଷା ସ୍ବାସ୍ଥ୍ୟ ଏବଂ ପାନୀୟଜଳ ଯୋଗାଣରେ ବିଜେଡି ଶାସନ ରସାତଳକୁ ଯାଉଥିବା ଅଭିଯୋଗ କରି ପ୍ରଚାର କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ