କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଗତ ଅକ୍ଟୋବର ୨ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ବାଇଧର ମଳିକଙ୍କ ଧର୍ମପତ୍ନୀ ସସ୍ମିତା ମଲିକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ସସ୍ମିତାଙ୍କ ବାପଘର ଲୋକେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ତେବେ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନଥିବା ଅଭିଯୋଗ କରି ମୃତକଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
ଘଟଣାକୁ ନେଇ କେନ୍ଦ୍ରାପଡ଼ା ସଦର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସସ୍ମିତାଙ୍କ ସ୍ବାମୀ ବାଇଧର ମଳିକଙ୍କୁ ଗିରଫ କରିଛି ପୋଲିସ। ତେବେ ଘଟଣା ସମ୍ପୃକ୍ତ ସସ୍ମିତାଙ୍କ ଶାଶୁ, ଦିଅର ଓ ଯାଆଙ୍କୁ ପୋଲିସ ଗିରଫ ନକରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ସସ୍ମିତାଙ୍କ ପରିବାର।
୨୦୦୫ ମସିହାରେ ଗରାପୁର ଗ୍ରାମର ବାଇଧର ମଳିକଙ୍କୁ ବିବାହ କରିଥିଲେ ସସ୍ମିତା। ତେବେ ବିବାହ ପରଠାରୁ ସସ୍ମିତାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ। ସମୟରେ ସମୟରେ ବାଇଧର ସସ୍ମିତାଙ୍କୁ ମାରପିଟ ମଧ୍ୟ କରନ୍ତି। ଏହାସହ ବାଇଧରଙ୍କ ଅନ୍ୟସ୍ଥାନରେ ପରକୀୟପ୍ରୀତିରେ ସମ୍ପୃକ୍ତ ଥିଲା। ଏନେଇ ସସ୍ମିତା ବାରମ୍ବାର ବିରୋଧ କରି ଆସୁଥିଲେ ସୁଦ୍ଧା କିଛି ଲାଭ ହେଉନିଥିଲେ। ଶେଷରେ ସସ୍ମିତାଙ୍କ ଶାଶୁଘର ଲୋକେ ତାଙ୍କ ଉପରେ କିରୋସିନ ଢାଳି ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ପୋଲିସର ନିଷ୍କ୍ରିୟତା ଦେଖା ଦେଇଛି। ଯଥାଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି। ଏହସହ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ନହେଲେ ସପରିବାର ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ସସ୍ମିତାଙ୍କ ପରିବାର ଲୋକେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ