କେନ୍ଦ୍ରାପଡ଼ା: ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ଉତ୍ସବ (Boita Bandana Utsav in Kendrapara)। ସହର ଉପକଣ୍ଠ ଜଜାଙ୍ଗ ଓ ଲୁଣା ନଦୀ କଳପଡା ପଠାରେ ବୋଇତ ବନ୍ଦାଣ ଉତ୍ସବକୁ ଆଜି ୧୫ ବର୍ଷ ପୂରିଛି । ଉତ୍ସବକୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଅଧିକ ଭାର ଯୋଗୁଁ ଡଙ୍ଗା ଚାଲିନଥିବା ଜଣାପଡ଼ିଛି ।
ପୂର୍ବରୁ ସାଧବ ପୁଅମାନେ ବଣିଜ କରିବାକୁ ଜାଭା, ସୁମାତ୍ରା ଭଳି ଦେଶକୁ ଯିବା ଓ ଆସିବା ସମୟରେ ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରିବାର ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଓଡ଼ିଆ ସଂସ୍କୃତି ଓ କଳାକୁ ମନେପକାଇବା ପାଇଁ ଆୟୋଜିତ ହେଉଛି ବୋଇତ ବନ୍ଦାଣ ଉତ୍ସବ। ଏହି ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ଉଦ୍ଦେଶ୍ୟରେ କଳପଡାସ୍ଥ ଲୁଣାନଦୀ ଘାଟ ଠାରେ ଆଜକୁ ୧୫ ବର୍ଷ ହେବ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି । ଏହି ଅବସରରେ ୭ ଜଣ ସାଧବ ବୋହୂ ଓ ତଅପୋଇ ବେଶରେ ସଜ୍ଜିତ ସାଧବାଣୀ ମାନେ ଉଦଘାଟକ ଅତିଥି ଓ ଏସପିଙ୍କୁ ଉପଢୌକନ ଓ ଫୁଲତୋଡ଼ା ପ୍ରଦାନ କରିବା ସହିତ ଏକ ସୁସଜ୍ଜିତ ବୋଇତରେ ସାଧବ ପୁଅ (ଅତିଥି)ମାନଙ୍କୁ ମେଲାଣି ଦେଇଥିଲେ ।
ଏହା ବି ପଢନ୍ତୁ- Kartik Purnima: ଡଙ୍ଗା ଭସାଇ ବଳଦେବଜୀଉଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ
ଏହି ଉତ୍ସବରେ ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳାଙ୍କୁ ଦେଖିବାକୁ ମିଳିଥିଲା । ଡଙ୍ଗାଟି ନଦୀକୂଳରୁ ପାହୁଲେ ମଧ୍ୟ ଘୁଞ୍ଚି ନଥିଲା । ଡଙ୍ଗାର ଧାର୍ଯ୍ୟ କ୍ଷମତା ଠାରୁ ଅତିଥିଙ୍କ ଓଜନ ଅଧିକ ରହିଥିଲା ଯେଉଁଥିପାଇଁ କି ଦୀର୍ଘ ସମୟ ଧରି ହଟହଟା ହେବାକୁ ପଡିଥିଲା ଡ଼ଙ୍ଗାରେ ଥିବା ଅତିଥି ମାନଙ୍କୁ । ପରିସ୍ଥିତି ଏପରି ହୋଇଥିଲା ଯେ କେନ୍ଦ୍ରାପଡା ଏସପି ପ୍ରଥମେ ଓହ୍ଲାଇବା ପରେ ଅନ୍ୟ ସମସ୍ତ ଅତିଥି ଓହ୍ଲାଇପଡିବାରୁ ଡଙ୍ଗାଟି ଚାଲିଥିଲା । ପ୍ରାୟ ୨୦ ମିନିଟ ପରେ ଏକ ଦଉଡି ସାହାଯ୍ୟରେ ନାବିକ ଡଙ୍ଗାଟିକୁ କିଛିବାଟ ଟାଣି ଆଣିବା ପରେ ପୁନଶ୍ଚ ଡଙ୍ଗାଟି ଏକୂଳରୁ ସେ କୂଳକୁ ବହି ଯାଇଥିଲା ।
ତେବେ ଦୀର୍ଘଦିନରୁ ଡଙ୍ଗା ବାହିବା ଛାଡ଼ିଦେଇଥିବା ଜଣେ ବ୍ୟକ୍ତିଙ୍କୁ ଡଙ୍ଗା ଚଳାଇବା ଦାୟିତ୍ୱ ଦିଆଯାଇଥିବା ଓ ଅତ୍ୟଧିକ ଲୋକ ଡଙ୍ଗାରେ ଚଢିବା କାରଣରୁ ଡଙ୍ଗାଟି ଚାଲିନଥିବା ବେଳେ ଏକ ଅବଶ୍ୟମ୍ଭାବି ଦୁର୍ଘଟଣା ଅଳ୍ପକେ ବର୍ତ୍ତିଯାଇଛି । ଫଳରେ ଚଳିତବର୍ଷ ବୋଇତ ବନ୍ଦାଣ ଉତ୍ସବ ସାମାନ୍ୟ ଫିକା ପଡ଼ିଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା