କେନ୍ଦ୍ରାପଡ଼ା: ଆଇନା ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ କରି ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାରେ ଦିନକୁ ଦିନ ଅପରାଧ ସଂଖା ବଢି ବଢି ଚାଲିଥିବା ବେଳେ ଅପରାଧିମାନେ ପୋଲିସକୁ ଚକମା ଦେଇ ନିଜ ସାମ୍ରାଜ୍ୟ ବିସ୍ତାର କରିବାରେ ସଫଳ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ରାଜ୍ଯରେ ଆଇନ ଶୃଙ୍ଖଳା ସମ୍ଭାଳିବାର ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ନେତା ଦାବି କରିଛନ୍ତି l
ଏହା ମଧ୍ୟ ପଢ଼ନ୍ତୁ: ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ଅନୁକମ୍ପା ସହାୟତା
ବିଜେପିର ଅଭିଯୋଗ ଅନୁଯାୟୀ, ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଥିବା ବେଳେ ସେହି ଗୃହ ବିଭାଗରେ କାର୍ଯ୍ୟରତ ଜଣେ ଏଏସଆଇ ରାଜ୍ୟର ମନ୍ତ୍ରୀଙ୍କୁ ହତ୍ୟା କରିବା ସନ୍ଦେହଜନକ । ଏହି ଘଟଣାରେ ନିରପେକ୍ଷ ତଦନ୍ତ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ)କୁ ଦାୟିତ୍ୱ ଦେବା ପାଇଁ ବିଜେପି ଦାବି କରିଛି । ବିଜେପି ଯେଉଁ ଦାବି ଉଠାଇଛି ତାହା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଦାବି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ବିଜେପି ଦାବି କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ୨୦୨୪ ପାଇଁ ବିଜେପି ଓ ବିଜେଡିର ଆନ୍ଦୋଳନ ରାଜନୀତି ! ପ୍ରଭାବ ପଡ଼ିବନି କହିଲେ ରାଜନୀତି ସମୀକ୍ଷକ
ଗତ କିଛି ଦିନ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏକ ପୋଲିସ ଅଧିକାରୀ ଗୁଳି କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ସୁରକ୍ଷାରେ ଥାଇ ମଧ୍ୟ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟର ଜଣେ ହେଭିୱେଟ ମନ୍ତ୍ରୀଙ୍କ ହତ୍ୟା ସ୍ପଷ୍ଟ ଦିବାଲୋକରେ କରାଯାଇଥିଲେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଖସିଯିବାକୁ ଉଦ୍ୟମ କରିଥିବା ବିଜେପି ଅଭିଯୋଗ କରିଛି । ଏହି ଘଟଣାର ତୁରନ୍ତ ତଦନ୍ତ ନେହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ଚେତାବନୀ ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ଅଲେଖ ଜେନା, ଦୁର୍ଯ୍ୟୋଧନ ସାହୁ,ବିଷ୍ନୁ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା