କେନ୍ଦ୍ରାପଡା: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ହେଉଛି ଆକ୍ରମଣ ! ଆଉ ଏ ଆକ୍ରମଣ ଆଉ କେହି ନୁହେଁ ବଂର ସରକାରୀ ବାବୁ ହିଁ କରାଉଥିବାର ଥାନାରେ ସାଂଘାତିକ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା RWSS ଠିକାଦାର ଶୁଭେନ୍ଦୁ ରାଉତ ଏହି ଆକ୍ରମଣର ଶିକାର ହୋଇଥିବେଳେ ଥାନାରେ ଏପରି ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଜ୍ୟୋତ୍ସାରାଣୀ ।
RWSSରେ ଖୋଲାଖୋଲି ଭାବେ ଟେଣ୍ଡର ଫିକ୍ସିଂ ହେଉଥିବାର ଭିଡିଓ ଇଟିଭି ଭାରତରେ ବାଜିଥିବାବେଳେ ଏହି ଟେଣ୍ଡର ଦୁର୍ନୀତି ବିରୋଧରେ ମୁହଁ ଖୋଲିଥିଲେ ଶୁଭେନ୍ଦୁ । ପରେ ତାଙ୍କୁ ଗତକାଲି(ଗୁରୁବାର) ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଛି । ତେବେ ଏନେଇ ଟେଣ୍ଡର ଫିକ୍ସିଂରେ ସମ୍ପୃକ୍ତ ଥିବା ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜ୍ୟୋତ୍ସାରାଣୀ ।
ଗତ ସେପ୍ଟେମ୍ବର ମାସରେ ତିନୋଟି ଆଇଡି ନମ୍ବରରେ 24ଟି ଟେଣ୍ଡର ହୋଇଥିବାବେଳେ "SDOଙ୍କ ଚିଠାରେ ଟେଣ୍ଡର ପେପର ବିକ୍ରି କରାଯିବ"ବୋଲି ଏକ ଭିଡିଓ ଉତ୍ତୋଳନ କରିଥିଲେ ଶୁଭେନ୍ଦୁ । ଯାହାକୁ ନେଇ ସାରା ଜିଲ୍ଲାରେ ଟେଣ୍ଡର ଫିକ୍ସିଂ ନେଇ ଆଲୋଡନ ଖେଳିଯାଇଥିଲା । ସେହିପରି ଚଳିତମାସ 23ତାରିଖ ସୁଦ୍ଧା କୌଣସି ବିଜ୍ଞାପନ ଦିଆନଯାଇ ଟେଣ୍ଡର ପେପର ବିକ୍ରି କରାଯାଉଥିବାର ଅଭିଯୋଗ ଆଣିଥିଲେ ଶୁଭେନ୍ଦୁ । ଯାହାକୁ ନେଇ ପୁନର୍ବାର RWSS କାର୍ଯ୍ୟାଳୟରେ ହଟଚମଟ ସୃଷ୍ଟି ହୋଇଥିଲା । ଏସବୁ ହିଁ ଶୁଭେନ୍ଦୁଙ୍କୁ ଆକ୍ରମଣ କରିବାର ପ୍ରମୁଖ କାରଣ ବୋଲି କହିଛନ୍ତି ଶୁଭେନ୍ଦୁଙ୍କ ପତ୍ନୀ ।
ସେପଟେ ଚଳିତମାସ 23ରେ ବିନା ବିଜ୍ଞପ୍ତିରେ ଟେଣ୍ଡର ପେପର ବିକ୍ରି ହୋଇଥିବା ଓ ଏହା ଉପରେ ପ୍ରତିକ୍ରିୟା ଲୋଡ଼ାଯିବାରୁ ନିର୍ବାହୀ ଯନ୍ତ୍ରୀ ମୁହଁ ଖୋଲିନଥିବାବେଳେ ଅଫିସର ଏଷ୍ଟିମେଟର ବିକ୍ରମାଦିତ୍ୟ ପ୍ରଧାନ ଯାହା କହିଥିଲେ ତାହା ସମସ୍ତଙ୍କୁ ଚମକାଇଦେଵ । ବିକ୍ରମଙ୍କ ପ୍ରତିକ୍ରିୟା ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ 24ଘଣ୍ଟା ସମୟ ମଧ୍ୟରେ ଯେଉଁ କାମ ପରସମାପ୍ତି ହୋଇଥାଏ ସେଥିଲାଗି ଟେଣ୍ଡର ଡକା ଯାଇନଥାଏ । ପରବର୍ତ୍ତୀ ସମୟରେ ବିନା ବିଜ୍ଞାପନରେ ଟେଣ୍ଡର କରି କାମ କରିଥିବା ଲୋକଙ୍କୁ ଟଙ୍କା ଦିଆ ଯାଇଥାଏ ଓ ଏହା ନିୟମିତ ପ୍ରକ୍ରିୟା ବୋଲି କହୁକହୁ କହିଦେଇଛନ୍ତି ଏଷ୍ଟିମେଟର ମହାଶୟ ।
ତେବେ ଶୁଭେନ୍ଦୁଙ୍କୁ ଆକ୍ରମଣ ନେଇ ପତ୍ନୀ ଜ୍ୟୋତ୍ସାରାଣୀ ଦେଇଥିବା ଅଭିଯୋଗ ଉପରେ ପୋଲିସ ତଦନ୍ତ କରୁଛି ଓ ଗୁରୁତର ଆହତ ହୋଇ ଶୁଭେନ୍ଦୁ ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରିପାରିନାହିଁ । କିନ୍ତୁ ଖୁବଶୀଘ୍ର ପୋଲିସ ଖୋଳତାଡ଼ କରି ଏହି ଘଟଣାର ଖୁଲାସା କରିବ ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ।
ଗୋଟିଏ ପଟେ ସରକାର ଓ ପ୍ରଶାସନ "zero tollerance to corruption"କଥା କହୁଥିବା ବେଳେ ଏବେ RWSS ବିଭାଗରେ ହୋଇଥିବା ଦୁର୍ନୀତି ଓ ଆକ୍ରମଣ ଘଟଣାକୁ ପ୍ରଶାସନ କିପରି ଦେଖୁଛି ତାହା ସମୟ କହିବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ