କେନ୍ଦ୍ରାପଡା: ରାଜ୍ୟର ସର୍ବପୁରାତନ ତଥା ପ୍ରଥମ ପୌର ପାଳିକାରେ ଶୌଚାଳୟ କାମରେ କେଁ । ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ଵ ସମୟ ହେବ ଗୋଷ୍ଠୀ ଭିତ୍ତିକ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହା କାମରେ ଲାଗୁନାହିଁ । ଯେଉଁଥି ପାଇଁ ଖୋଲାରେ ଶୌଚ ହେଉଛନ୍ତି ଦୁଇଟି ୱାର୍ଡର ଦୁଇ ହଜାରରୁ ଊର୍ଦ୍ଧ୍ଵ ବାସିନ୍ଦା ।
ସ୍ଵଚ୍ଛ ଭାରତ ଅଭିଯାନକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ଏହା କାମରେ ଆସୁନି । ଯାହାଫଳରେ ଖୋଲା ପଡିଆରେ ଶୌଚ ହେବା ପାଇଁ ବାଧ୍ୟ ହେଉଛନ୍ତି ଲୋକେ । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପୌର ପରିଷଦର ୩ ଓ ୪ନଂ ୱାର୍ଡରେ । ଗୋଷ୍ଠୀଭିତ୍ତିକ ଶୌଚାଳୟ ନିର୍ମାଣ ଗତ ଦୁଇ ବର୍ଷ ତଳେ ଶେଷ ହୋଇଛି କିନ୍ତୁ ଏହା କାମରେ ଲାଗିନି । ଏହି ଦୁଇଟି ୱାର୍ଡର ଜନସଂଖ୍ୟା ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ଵ । ମାତ୍ର ଶୌଚାଳୟ ସମ୍ବନ୍ଧରେ ଅଭିଯୋଗ କଲେ ମଟର ଖରାପ, ଟ୍ୟୁବୱେଲ ଖରାପ ହୋଇଥିବା କର୍ତ୍ତୃପକ୍ଷ ଉତ୍ତର ଦେଉଥିବା ଅଭିଯୋଗ ହୋଇଛି ।
ଥରେ କି ଦୁଇଥର ନୁହେଁ ବାରମ୍ବାର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ ଫଳ ଶୂନ । ଜିନିଷ ନଲାଗି ବିଲ କରାଯାଇଥିବା ସନ୍ଦେହ ମଧ୍ୟ ବଢିଛି । ତେବେ ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଅବଗତ କରାଯାଇଛି । ତେବେ କଥାକୁ ଏଡାଇ ଏହାର ଦାୟିତ୍ବ ସ୍ଥାନୀୟ ଏସଏଚଜିଙ୍କ ଦ୍ବାରା ରକ୍ଷଣାବେକ୍ଷଣ କରାଯାଉଥିବା କହିଥିଲେ । ଆଉ ଯାହା ସମସ୍ୟା ରହିଛି ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ନିର୍ମାଣ ହେଉଥିବା ଜିନିଷ ଗୁଡିକୁ ସରକାରୀ ବାବୁମାନେ କିପରି ଅଣଦେଖା କରୁଛନ୍ତି? ବାରମ୍ବାର ଅଭିଯୋଗ ଆସିବା ପରେ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା କଣ ସୁଚାଉଛି? ମିଛ କହୁଛି କିଏ,ଜନସାଧାରଣ ନା ପୌର ପରିଷଦ ଅଧିକାରୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ