କେନ୍ଦ୍ରାପଡା: ଜିଲ୍ଲା ମହାକାଳପଡା ତେରଗାଁର ପୋଲିସ ଅଧିକାରୀ ଶ୍ରୀଧର ବେହେରାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛି ତାଙ୍କ ପୁରା ପରିବାର । ଅଧିକାରୀଙ୍କ ତିନି ଝିଅ ପୂଜାରାଣୀ, ରୋଜାଲିନ ଓ ଲକ୍ଷ୍ମୀପ୍ରିୟାଙ୍କ ଦୁଃଖର କାହାଣୀ ସମ୍ପର୍କରେ ସୋମବାର ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ମଙ୍ଗଳବାର ତିନି ଭଉଣୀ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚି ସହଯୋଗ ଭିକ୍ଷା କରିଥିଲେ । ସେମାନେ ଅତିରିକ୍ତ ଜିଲ୍ଲାପାଳ ନରହରି ସେଠୀଙ୍କୁ ସାକ୍ଷାତ କରିଥିଲେ । ତେବେ ଆନୁସଙ୍ଗିକ କାଗଜପତ୍ର ଜମା କରାଯିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସହଯୋଗ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଅପରପକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଶ୍ରୀଧରଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତିନି ଭଉଣୀଙ୍କ ଉଚ୍ଚଶିକ୍ଷା ପାଇଁ ଯାହା ସହଯୋଗ ଆବଶ୍ୟକ ସେସବୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ