କେନ୍ଦ୍ରାପଡା: ଅଦମ୍ୟ ଇଚ୍ଛାଶକ୍ତି ଥିଲେ କୌଣସି କାର୍ଯ୍ୟ ମହିଳାଙ୍କ ପାଇଁ କଷ୍ଟ ନୁହେଁ"ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡାର ଝୁନା ପରିଡା । ଜଣେ ସଫଳ ମହିଳା ମାଛ ଯାଆଁଳ ଉତ୍ପାଦନକାରୀ ଚାଷୀ ଭାବେ ସେ ନିଜେ ରୋଜଗାରକ୍ଷମ ସହ 25ରୁ 50 ଜଣଙ୍କୁ ଦେଇଛନ୍ତି ନିଯୁକ୍ତି । ହେଲେ କୋରୋନା କଟକଣା ଓ ଲକଡାଉନ ମଧ୍ୟରେ ତାଙ୍କର ଓ ତାଙ୍କ ସହଯୋଗୀଙ୍କ ସ୍ଥିତି ସଙ୍ଗୀନ । ବେପାର ନଥିବାରୁ ଆୟ ବନ୍ଦ ରହିଛି ।
କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ଭଗବାନପୁର ଗାଁର ଝୁନା ପରିଡା । ସ୍ବାମୀଙ୍କ ଠାରୁ ପ୍ରେରଣା ପାଇ ୨୦୦୭ ମସିହାରୁ ସେ ଆରମ୍ଭ କରିଛନ୍ତି ମା' ବୁଢ଼ୀ ଜାଗୁଳାଇ ମାଛ ଯାଆଁଳ ଉତ୍ପାଦନ କେନ୍ଦ୍ର । ପ୍ରାୟ ୫ଏକର ପରିମିତ ଜମିରେ ଥିବା ୮ଟି ପୋଖରୀରେ ସେ ରୋହି,ଭାକୁର,ଗ୍ରାସକପ,ସିଲଭର କପ,ମିରିକାଳୀ,ଅମୁର କପ ଆଦି ବିଭିନ୍ନ କିସମର ମାଛ ଯାଆଁଳାକୁ ଅତ୍ୟାଧୁନିକ ପ୍ରଣାଳୀରେ ବ୍ରିଡିଂ କରି ଜିଲ୍ଲା ତଥା ରାଜ୍ୟ ବାହାରକୁ ରପ୍ତାନୀ କରନ୍ତି । ଏହା ଜରିଆରେ ସେ ବର୍ଷକୁ ପ୍ରାୟ 5 କୋଟି ମାଛ ଯାଆଁଳ ଏହି ପୋଖରୀ ଗୁଡିକରୁ ଉତ୍ପାଦନ କରି କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ପୁରୀ,ଖୋର୍ଦ୍ଧା,ଢେଙ୍କାନାଳ ଆଦି ଜିଲ୍ଲାକୁ ରପ୍ତାନୀ କରିଥାନ୍ତି ।
CIFA(Central Institute of Freshwater Aquaculture) ସହାୟତାରେ ଏହି ମାଛ ଯାଆଁଳ ଉତ୍ପାଦନ ଆରମ୍ଭ କରିଥିବା ଝୁନା ପରବର୍ତ୍ତୀ ସମୟରେ ଜିଲ୍ଲାରେ ଥିବା ଛୋଟବଡ଼ ମାଛ ଚାଷୀଙ୍କୁ ମାଛଚାଷ ପ୍ରଣାଳୀ ସହ ମାଛ ଗୁଡିକୁ ଇଞ୍ଜେକ୍ସନ ଦେବା ଭଳି ତାମିଲ ଦିଅନ୍ତି । ଏହି କେନ୍ଦ୍ରରେ ୨୫ ରୁ ୫୦ଜଣ ଲୋକ ନିଯୁକ୍ତ ଥିବା ବେଳେ ଏହା ଉପରେ ପରୋକ୍ଷ ଭାବେ ୩୦୦-୪୦୦ ଜଣ ଲୋକ ନିର୍ଭର କରିଥାନ୍ତି । ହେଲେ ଏବେ କୋରୋନା ସାଜିଛି କାଳ ।
କୋଭିଡ-19 ଜନିତ ଲକଡାଉନ ସମୟରେ ପ୍ରାୟ ୨କୋଟି ମାଛ ଯାଆଁଳ ଉତ୍ପାଦିତ ହୋଇଥିଲେ ମଧ୍ୟ ଏହା ବିକ୍ରି ହୋଇ ପାରୁନଥିବାରୁ ଏବେ କେବଳ ମାଛ ଗୁଡିକୁ ଖାଦ୍ୟ ଦେଇ ରଖିବା ସାର ହେଉଛି । ସେପଟେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଏବଂ ବର୍ତ୍ତମାନ ସମୟରେ ବଜାରରେ ମାଛ ଯାଆଁଳର ଚାହିଦା ହ୍ରାସ ହେଉଥିବାରୁ କିପରି ବିକ୍ରି କରାଯିବ ସେ ନେଇ ଚିନ୍ତାରେ ପଡିଛନ୍ତି ଝୁନା ଓ ତାଙ୍କ ସହଯୋଗୀ । ପ୍ରଥମ ପର୍ଯ୍ୟାୟ ଲକଡାଉନର କିଛିଦିନ ପରେ ମାଛ ଚାଷକୁ ଲକଡାଉନ ମୁକ୍ତ କରାଯାଇଥିଲେ ମଧ୍ୟ ଜିଲ୍ଲା ବାହାରର ବେପାରୀ ମାନଙ୍କୁ ପାସ ନମିଳିବା କାରଣରୁ ସେମାନେ ଉତ୍ପାଦିତ ଯାଆଁଳ ନେବାପାଇଁ ଅସମର୍ଥ ହୋଇଛନ୍ତି ଯେଉଁଥିପାଇଁ କି ବେପାରରେ କ୍ଷତି ହେଉଥିବା କହିଛନ୍ତି ପରିଚାଳିକା ଝୁନାଙ୍କ ଉଚ୍ଚ ଶିକ୍ଷିତା ଝିଅ ।
ସେ କହିଛନ୍ତି କି, ଜିଲ୍ଲା ବାହାରର ବ୍ୟବସାୟୀଙ୍କୁ ଏହି ଯାଆଁଳ ଗୁଡିକ ବ୍ୟବସାୟ ପାଇଁ କୌଣସି ସୁବିଧା ସୁଯୋଗ ମିଳିଲେ ହୁଏତ କ୍ଷତିର ପରିମାଣ କମିପାରନ୍ତ ।
ସେହିପରି ଝୁନାଙ୍କ ବ୍ୟତିତ ଜିଲ୍ଲାରେ ବର୍ତ୍ତମାନ 13-14ହଜାର ପର୍ଯ୍ୟନ୍ତ ମାଛ ଚାଷୀ ଥିବା ବେଳେ ପ୍ରାୟ 5-6ହଜାର ହେକ୍ଟରରେ ମାଛ ଚାଷ ହେଉଥିବା ସୂଚନା ରହିଛି । କିନ୍ତୁ କୋରୋନା କଟକଣା ଯୋଗୁଁ ସବୁ ଚାଷୀଙ୍କ ଭାଗ୍ୟ ଏବେ ଲକଡାଉନ ଜାଲରେ ବନ୍ଧା ।
ତେବେ ଯଦି ବର୍ତ୍ତମାନଙ୍କ ସଙ୍କଟ ସମୟରେ ଝୁନାଙ୍କୁ ପ୍ରୋତ୍ସାହନ ସହ ଆର୍ଥିକ ସହଯୋଗ ମିଳେ ତେବେ ତାଙ୍କର ଏହି ପଦକ୍ଷେପ ଓ ପ୍ରୟାସ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ