କେନ୍ଦ୍ରାପଡା: ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମ ସ୍ଥାପନ ହେଲା ବନ୍ଧୁତା । ଆଉ କିଛି ଦିନର କଥାବାର୍ତ୍ତା ପରେ ବନ୍ଧୁ ଯୁବତୀଙ୍କ ପାଇଁ ଘର ଛାଡିଲେ ନାବାଳିକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଜଇପୁରା ଅଞ୍ଚଳରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ,ଜଇପୁରା ଅଞ୍ଚଳର ଜଣେ ନାବାଳିକା ସୋସିଆଲ ମିଡିଆରେ ଜଣେ ଅଜଣା ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା ।
ପରେ ସେ ସେହି ଯୁବତୀଙ୍କ ପାଇଁ ବାପାମା’ଙ୍କୁ ନ ଜଣାଇ ଏକାକୀ ବସ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ ନାବାଳିକା। ଘରେ ଝିଅକୁ ନ ପାଇ ପରିବାର ସଦସ୍ୟ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଫୋନ୍ ଟ୍ରାକିଂ କରି ୧୨ ବର୍ଷ ବୟସର ଛାତ୍ରୀଙ୍କୁ ଧରିବାକୁ ସମର୍ଥ ହୋଇଥିଲା। ୧୨ ଘଣ୍ଟା ମଧ୍ୟରେ ନାବାଳିକାଙ୍କୁ ସୋସୋ ଥାନା ଅଞ୍ଚଳରୁ ହେପାଜତକୁ ନେଇଥିଲା ପୋଲିସ । ନାବାଳିକା ଛାତ୍ରୀଙ୍କୁ ପୋଲିସ ତାଙ୍କ ବାପାମା’ଙ୍କ ଜିମା ଦେଇଛି ।
ଛାତ୍ରୀଙ୍କ ସହ ସମ୍ପୃକ୍ତ ଇନ୍ଷ୍ଟାଗ୍ରାମ ଯୁବତୀ ବନ୍ଧୁଙ୍କ ସହ କି ପ୍ରକାର ସମ୍ପର୍କ ଥିଲା । ସେ ଛାତ୍ରୀଙ୍କୁ କାହିଁକି ସେଠାକୁ ଡକାଇଥିଲେ । ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି । ପୋଲିସ ଏନେଇ ତଦନ୍ତ ଚଳାଇଛି । ବର୍ତ୍ତମାନ ଅନଲାଇନ କ୍ଳାସ ଯୋଗୁଁ ଛାତ୍ରଛାତ୍ରୀ ମୋବାଇଲ ସହ ଅଧିକ ସଂଶ୍ଳିଷ୍ଟ ହୋଇପଡିଛନ୍ତି । ତେବେ ଏହାର ବ୍ୟାପକ ଅପବ୍ୟବହାର ଏବେ ଚିନ୍ତାର କାରଣ ପାଲଟିଲାଣି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ