କେନ୍ଦ୍ରାପଡା: ସହରର ଏକ ଘରୋଇ ନର୍ସିଂହୋମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁକନ୍ୟା । ଯିଏ ସ୍ବାଭାବିକ ଶିଶୁଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଶିଶୁଟିର ଦୁଇଟି ମୁଣ୍ଡ ରହିଥିବାବେଳେ 3ଟି ହାତ, 4ଟି ଆଖି ଓ 4ଟି କାନ ରହିଛି । ଏପରିକି ଶିଶୁଟିର ପିଠି ପଟକୁ ଏକ ହାତ ରହିଛି । ଏହି ବିରଳ ଶିଶୁକୁ ଦେଖିବାକୁ ହସ୍ପିଟାଲରେ ପ୍ରବଳ ଭିଡ ଜମିଛି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ରାଜନଗର ଥାନା ମହୁଲିଆ ପଞ୍ଚାୟତ କଣୀ ଗାଁର ଉମାକାନ୍ତ ପରିଡାଙ୍କ ପତ୍ନୀଙ୍କ ଗତକାଲି(ଶନିବାର) ପ୍ରସବ ବେଦନା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରେ ଏକ ଘରୋଇ ନର୍ସିଂହୋମକୁ ସ୍ଥାନାନ୍ତରିତ କରାଯାଇଥିଲା । ରବିବାର ପୂର୍ବାହ୍ନ 11ଟା ସମୟରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ । ଏହା ମହିଳାଙ୍କ ଦ୍ବିତୀୟ ସନ୍ତାନ ବୋଲି ଜଣାପଡିଛି । ଅଧିକ ଚିକିତ୍ସା ପାଇଁ ଡାକ୍ତରମାନେ ଶିଶୁଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି ।
ଅପରପକ୍ଷେ ଉମାକାନ୍ତ ଜଣେ ଦିନ ମଜୁରିଆ ହୋଇଥିବାରୁ ସେ ସରକାରୀ ସହାୟତା ଲୋଡିଛନ୍ତି । ଯୋଡା ମୁଣ୍ଡ ଶିଶୁ ଜଗାବଳିଆ ଭଳି ତାଙ୍କ ଶିଶୁର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ ସହାୟତା ଭିକ୍ଷା କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ