କେନ୍ଦ୍ରାପଡ଼ା: ଅସହାୟ ପିଲାମାନଙ୍କୁ 'ପିଏମ୍ କେୟାର୍ ଫଣ୍ଡ୍' (PM Care Fund) ଯୋଜନାରେ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭର୍ଚୁଆଲ୍ ମୋଡରେ ପ୍ରଧାନମନ୍ତ୍ରୀ କୋଭିଡ୍ ସମୟରେ ପିତାମାତାଙ୍କୁ ହରାଇଥିବା ଜିଲ୍ଲାର ୬ ଜଣ ଶିଶୁଙ୍କୁ ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାମାଜିକ ସୁରକ୍ଷା ସଙ୍ଗଠନ କର୍ମଚାରୀଙ୍କ ସମେତ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗଦେଇଥିଲେ । ଆଜି (ସୋମବାର)ଠାରୁ ଏହି ଶିଶୁ ମାନଙ୍କ ଡାକଘର ଜମାଖାତାରେ ୧୦ଲକ୍ଷ ଟଙ୍କା ଜମା କରାଯାଇଛି । ଏହି ଆକାଉଣ୍ଟରେ ଜିଲ୍ଲାପାଳ ଜଏଣ୍ଟ ଆକାଉଣ୍ଟଧାରୀ ରହିଛନ୍ତି । ଅସହାୟ ଶିଶୁମାନଙ୍କୁ ୧୮ ବର୍ଷ ବୟସ ହେଲେ ଡାକଘର 'ଇନକମ ସ୍କିମ' ଆକାଉଣ୍ଟରେ ରଖାଯାଇଥିବା ଏହି ୧୦ଲକ୍ଷ ଟଙ୍କାରୁ ଷ୍ଟାଇପେଣ୍ଡ ହିସାବରେ ଟଙ୍କା ୨୩ବର୍ଷ ବୟସ ଯାଏଁ ମିଳିବାର ଯୋଜନା ରହିଛି । ୨୩ ବର୍ଷ ବୟସରେ ସେମାନେ ନିଜର ଟଙ୍କାକୁ ନିଜେ ଉଠାଇପାରିବେ ବୋଲି ଗାଇଡଲାଇନ ଜାରି କରାଯାଇଛି ।
ତେବେ ଜିଲ୍ଲାରେ ଚିହ୍ନଟ ହୋଇଥିବା ଉକ୍ତ ୬ ଜଣ ଶିଶୁଙ୍କୁ ଏକକାଳୀନ ୫୦ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଳେ ପ୍ରତ୍ୟେକ ମାସରେ ସେମାନଙ୍କୁ ସମନ୍ବିତ ଶିଶୁ ଯୋଜନା ପକ୍ଷରୁ ୪ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ମାସିକ ୨୫୦୦ ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଶିଶୁଙ୍କୁ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ମଧ୍ୟ ମିଳିବାର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ବର୍ଷ ଏହି ଶିଶୁ ମାନଙ୍କୁ ୨୦ହଜାର ଟଙ୍କାର ସ୍କଲରାଶିପ ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା