କେନ୍ଦ୍ରାପଡା: ଏ ଦୃଶ୍ୟ ଦେଖି ଆପଣ ମାନେ ହୁଏତ ଭାବୁଥିବେ ଯେ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମୌଲାନା ଛିଡା ହୋଇଛନ୍ତି ଅଥବା କୌଣସି ଯାତ୍ରା ପାର୍ଟିର ଅଭିନେତା ଏମିତି ଫଟୋ ପୋଜ ଦେଇଛନ୍ତି । କିନ୍ତୁ ଅସଲ କଥାଟି ଜାଣିଲେ ଆପଣ ନିଶ୍ଚେ ଅବାକ ହୋଇଯିବେ । ଏ ଚିତ୍ରଟି ହେଉଛି କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକଙ୍କର । ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଡାକ୍ତରଖାନା ଓ RTO ଅଫିସରୁ ଦଲାଲ ମୁକ୍ତ ଅଭିଯାନରେ ନିଜକୁ ସାମିଲ କରି ଏଭଳି ବେଶ ଧାରଣ କରିବାକୁ ପଡିଛି ଏହି ଥାନା ଅଧିକାରୀଙ୍କୁ ।
ଆଜିଠାରୁ ରାଜ୍ୟ ସରକାର ସମସ୍ତ ମୋଟର ଭେଇକିଲ ପାଇଁ ଅନଲାଇନ ବ୍ୟବସ୍ଥା କରିବାକୁ ଯାଉଥିବା ବେଳେ କେନ୍ଦ୍ରାପଡ଼ା ପରିବହନ କାର୍ଯ୍ୟାଳୟରେ ବ୍ୟାପକ ଦଲାଲି କାମ ହେଉଥିବା ଅଭିଯୋଗ ଆସିଥିଲା । ଏନେଇ ଦୀର୍ଘ ଏକ ସପ୍ତାହ ହେବ ସଦର ପୋଲିସ ଦଲାଲ ମାନଙ୍କୁ ଧରିବା ପାଇଁ ବାରମ୍ବାର ଚଢ଼ାଉ କରିଥିଲେ ମଧ୍ୟ ଖାଲି ହାତରେ ଫେରୁଥିଲା ।
ତେବେ ସଦର ଥାନା ଅଧିକାରୀ ପ୍ରମୋଦ ମଲ୍ଲିକ ନିଜ ବେଶଭୂଷା ପରିବର୍ତ୍ତନ କରି ପରିବହନ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଦୁଇଜଣ ଦଲାଲଙ୍କୁ ଗିରଫ କରିବାରେ ସମର୍ଥ ହୋଇଛନ୍ତି । ଗିରଫ ହୋଇଥିବା ଦୁଇ ଦଲାଲ ଯଦୁପୁରର ଅମରେଶ ଚନ୍ଦ୍ର ସାହୁ ଓ ଗୋବିନ୍ଦ ଜୀୟୁପାଟଣାର ନିହାର ରଞ୍ଜନ ଦାଶ । ଦୁହେଁ ଥାନା ଅଧିକାରୀଙ୍କୁ ଚିହ୍ନିନପାରି ତାଙ୍କ ଠାରୁ ଏକ ଡ୍ରାଇଭିଂ ଲାଇସେନ୍ସ କରାଇଦେବାକୁ ଟଙ୍କା ନେଉଥିବା ସୂଚନା ମିଳିଛି ।
ତେବେ ଉକ୍ତ ଦଲାଲ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଥାନା ଅଧିକାରୀଙ୍କ ଅଭିଯୁକ୍ତ ଧରିବା ପାଇଁ ପ୍ରୟାସକୁ ପ୍ରଶଂସା କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ