ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବୁଦିଲିପଦର ଘାଟିରେ ଅଘଟଣ। ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀଙ୍କ ସମେତ ଦୁଇ ପୁଅ ଝିଅ ଗୁରୁତର ହୋଇଛନ୍ତି । ସେପଟେ ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ତୁମୁଡିବନ୍ଧ ଡାକ୍ତରଖାନା ଆଗରେ ରାସ୍ତାରୋକ କରିଛନ୍ତି । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ସୂଚନାନୁସାରେ କନ୍ଧମାଳ ଜିଲ୍ଲା ଲଙ୍କାଗଡ଼ ଗ୍ରାମର ଥଣ୍ଡା ପରାସେଠ୍ ସ୍ତ୍ରୀ ବୈଦି ପରାସେଠ୍, ପୁଅ ରାଜା ଓ ଝିଅ ମମତା ସହ ଏକ ବାଇକ ଯୋଗେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉଥିଲେ। ତୁମୁଡିବନ୍ଧ ଠାରୁ ପ୍ରାୟ ୯ କିଲୋମିଟର ଦୂର ବୁଦିଲିପଦର ଘାଟିରେ ଯାଉଥିବା ବେଳେ ହଠାତ ଏକ ଅଜଣା ଟ୍ରକ ଆସି ଥଣ୍ଡା ପରାସେଠଙ୍କ ବାଇକକୁ ଆଗପଟୁ ଶକ୍ତ ଧକ୍କା ଦେଇଥିଲା ।
ଯେଉଁଥିରେ କି ବାଇକ ସହ ଥଣ୍ଡା ପରାସେଠ ଓ ତାଙ୍କ ପରିବାର ଲୋକେ କିଛି ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ବୈଦି ପରାସେଠଙ୍କର ମୃତ୍ୟୁ ହୋଇଥିଲା। ତେବେ ଥଣ୍ଡା ପରାସେଠ ଓ ତାଙ୍କ ଦୁଇପୁଅ ଝିଅ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।
ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଦ୍ଵାରା ଆହତମାନଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାସହ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଦ୍ରୁତ ଗତିରେ ଚାଲିଯାଉଥିବା ବେଳେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନାପାଇ ଦଣ୍ଡପଦର ନିକଟରେ ରୋକିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । କିନ୍ତୁ ପୋଲିସ ଗାଡିକୁ ମଧ୍ୟ ଚକମା ଦେଇ ଟ୍ରକ ଡ୍ରାଇଭର ଖସି ପଳାଇଥଲା। ପରେ ନୂଆଗାଁ ପୋଲିସ ଟ୍ରକକୁ କାବୁ କରି ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, କନ୍ଧମାଳ